ନ୍ୟୁଜ ଡେକ୍ସ : ଓଡ଼ିଶା ରାଜନୀତିରେ ଏକ ନୂଆ ମୋଡ଼ ଆସିବାର ସଙ୍କେତ ମିଳିଛି। କଂଗ୍ରେସର ପୂର୍ବତନ ନେତା ମହମ୍ମଦ ମୋକିମ ରାଜ୍ୟରେ ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି ବୋଲି ବଡ଼ ସୂଚନା ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ମାସର ଶେଷ ସୁଦ୍ଧା ଏହି ନୂଆ ଦଳର ଭିତ୍ତିପ୍ରସ୍ତର ସ୍ଥାପନ ହେବ।
ମୋକିମ କହିଛନ୍ତି, ଦଳ ଗଠନ ପୂର୍ବରୁ ରାଜ୍ୟବ୍ୟାପୀ ପରାମର୍ଶ, ସମାବେଶ ଓ ସଂଗଠନାତ୍ମକ କାର୍ଯ୍ୟକ୍ରମ କରିବା ଆବଶ୍ୟକ। ତେଣୁ ଏକାଧିକ ପର୍ଯ୍ୟାୟରେ ଲୋକସଂଯୋଗ ଅଭିଯାନ ଚାଲିଛି। ଯୁବବର୍ଗ, ଚାଷୀ, ମହିଳା ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରି ଏକ ନୂଆ ରାଜନୈତିକ ବିକଳ୍ପ ତିଆରି କରିବା ହେଉଛି ମୋକିମଙ୍କ ମୂଖ୍ୟ ଲକ୍ଷ୍ୟ।ଏହି କ୍ରମରେ ଆସନ୍ତା ୧୨ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଯୁବ ସମାବେଶ ଆୟୋଜନ କରାଯିବ। ଏହି ସମାବେଶରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ, ବିଶେଷକରି ଉପକୂଳ ଓଡ଼ିଶାରୁ ଯୁବବର୍ଗ ଯୋଗଦେବେ ବୋଲି ଆଶା କରାଯାଉଛି।
ଏହି ସଭା ମାଧ୍ୟମରେ ମୋକିମ ନିଜର ରାଜନୈତିକ ପ୍ରଭାବ ଓ ସଂଗଠନାତ୍ମକ ଶକ୍ତି ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତାନୁସାରେ, ଏହି ଯୁବ ସମାବେଶ ମୋକିମଙ୍କ ନୂଆ ଦଳର ପ୍ରଥମ ବଡ଼ ଶକ୍ତି ପରୀକ୍ଷା ହେବ। ଏହା ପରେ ଚାଷୀ ସମସ୍ୟା, ମହିଳା ସୁରକ୍ଷା ଓ ରୋଜଗାର ଭଳି ବିଭିନ୍ନ ବିଷୟକୁ ନେଇ ଆଲଗା ଆଲଗା ସମାବେଶ ଆୟୋଜନ କରାଯିବାର ଯୋଜନା ରହିଛି।ମୋକିମ କହିଛନ୍ତି, ଓଡ଼ିଶାର ଲୋକେ ଏବେ ଏକ ନୂଆ ରାଜନୈତିକ ବିକଳ୍ପ ଚାହୁଁଛନ୍ତି।
ପୁରୁଣା ଦଳଗୁଡ଼ିକରେ ଲୋକଙ୍କ ଆଶା-ଆକାଂକ୍ଷା ପୂରଣ ହେଉନଥିବାରୁ ଏକ ଆଞ୍ଚଳିକ ଦଳର ଆବଶ୍ୟକତା ବଢ଼ିଛି। ଏହି ଦଳ ଓଡ଼ିଶାର ମାଟି, ଲୋକ ଓ ସମସ୍ୟାକୁ କେନ୍ଦ୍ର କରି ରାଜନୀତି କରିବ ବୋଲି ସେ ଦାବି କରିଛନ୍ତି।ସମଗ୍ର ଭାବେ ଦେଖିଲେ, ମାର୍ଚ୍ଚ ମାସ ଶେଷ ସୁଦ୍ଧା ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ଗଠନ ହେଲେ ରାଜ୍ୟର ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

