Fri. Apr 17th, 2026

ନ୍ୟୁଜ ଡେକ୍ସ : ଅମଳ ସମାପ୍ତ ହେବା ସତ୍ତ୍ୱେ ରାଜ୍ୟର ବିଭିନ୍ନ ମଣ୍ଡିରେ ଧାନ ଉଠାନ ନ ହେବାକୁ ନେଇ ଚାଷୀଙ୍କ ଦୁଃଖକଷ୍ଟ ବଢ଼ିଚାଲିଛି। ନିଜ କଷ୍ଟାର୍ଜିତ ଧାନ ବିକ୍ରି କରିପାରୁନଥିବା ଚାଷୀମାନେ ଶୀତ ଓ କାକର ମଧ୍ୟରେ ରାତିରାତି ମଣ୍ଡିରେ ଧାନକୁ ଜଗି ବସିଛନ୍ତି। ଏହି ପରିସ୍ଥିତିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାର ଉପରେ ତୀବ୍ର ସମାଲୋଚନା କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ, ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ସରକାରଙ୍କ ଅବ୍ୟବସ୍ଥାରେ ଚାଷୀ ଅସହାୟ ଓ ହତାଶ ହେଉଛନ୍ତି। ଚାଷୀଙ୍କୁ ବହୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପିର ଡବଲ୍ ଇଞ୍ଜିନ୍ ସରକାର ନିଜ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।ନବୀନ କହିଛନ୍ତି ଯେ, ଧାନ କିଣାରେ ବୋନସ୍ ଘୋଷଣା କରି ଚାଷୀଙ୍କୁ ସ୍ୱପ୍ନ ଦେଖାଯାଇଥିଲେ ମଧ୍ୟ, ଟୋକନ୍ ବ୍ୟବସ୍ଥାରୁ ନେଇ ମଣ୍ଡିର ଅବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠି ଚାଷୀ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଶୀତ ଓ ଘନ କାକର ମଧ୍ୟରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିବାବେଳେ ସରକାର ପକ୍ଷରୁ କୌଣସି ସଠିକ୍ ପଦକ୍ଷେପ ଦେଖିବାକୁ ମିଳୁନାହିଁ ବୋଲି ସେ କହିଛନ୍ତି। ସରକାର ପକ୍ଷରୁ ଧାନ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା ହୋଇଯାଇଛି ଓ ମନ୍ତ୍ରୀମାନେ ମଣ୍ଡିରେ ଉପସ୍ଥିତ ରହିବେ ବୋଲି କହାଯାଇଥିଲା। କିନ୍ତୁ ବାସ୍ତବରେ ଚାଷୀଙ୍କ ଦୁଃଖ ସମୟରେ ସରକାରୀ ଦଳର କୌଣସି ପ୍ରତିନିଧି ମଣ୍ଡିରେ ଦେଖାଯାଉନାହାନ୍ତି ବୋଲି ନବୀନ ଅଭିଯୋଗ କରିଛନ୍ତି।

ଚାଷୀ ଆନ୍ଦୋଳନ କରିଲେ ସେମାନଙ୍କୁ ‘ନୌଟଙ୍କି’ ବୋଲି ତାତ୍ସଲ୍ୟ କରାଯିବାକୁ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଚାଷୀଙ୍କ ସ୍ୱାର୍ଥ ସର୍ବପ୍ରଥମ ବୋଲି ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଅନ୍ନଦାତା ଚାଷୀଙ୍କ ସହ ହେଉଥିବା ଏପରି ଅନ୍ୟାୟର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ। ବିଜୁ ଜନତା ଦଳ ଚାଷୀଙ୍କ ସାଥିରେ ରହି ସେମାନଙ୍କ ହକ୍ ପାଇଁ ସବୁସ୍ତରରେ ସ୍ୱର ଉଠାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *