Fri. Feb 27th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାର ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ଫେବୃଆରି ୨୮ ପର୍ଯ୍ୟନ୍ତ ଥିବା ସମୟସୀମାକୁ ଆଉ ବୃଦ୍ଧି କରାଯିବ ନାହିଁ। ଆସନ୍ତା ମାର୍ଚ୍ଚ ୧ରୁ ଏହି ନୂତନ ନିୟମ ସମଗ୍ର ଦେଶରେ ଲାଗୁ ହେବ।ନୂତନ ନିୟମ ଅନୁଯାୟୀ, ମୋବାଇଲ୍ ଫୋନରେ ସକ୍ରିୟ ସିମ୍ କାର୍ଡ ନଥିଲେ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍, ସ୍ନାପ୍ଚାଟ୍, ସେୟାରଚାଟ୍, ଜିଓଚାଟ୍, ଆରଟିଇ ଓ ଜୋସ୍ ପରି ମେସେଜିଂ ଆପ୍ ଆଉ କାମ କରିବ ନାହିଁ।

ବର୍ତ୍ତମାନ ଫୋନରୁ ସିମ୍ ବାହାର କରିଦେଲେ ମଧ୍ୟ କିଛି ଆପ୍ ଚାଲୁଥିବାବେଳେ, ନୂଆ ବ୍ୟବସ୍ଥା ଲାଗୁ ହେଲେ ସେହି ସୁବିଧା ରହିବ ନାହିଁ।ଏହାସହିତ କମ୍ପ୍ୟୁଟରରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବା ଆକାଉଣ୍ଟ୍ ପ୍ରତି ଛଅ ଘଣ୍ଟାରେ ଥରେ ସ୍ୱୟଂଚାଳିତ ଭାବେ ଲଗ୍ ଆଉଟ୍ ହେବ। ଏପର୍ଯ୍ୟନ୍ତ ଓଟିପି ଜରିଆରେ ହ୍ୱାଟ୍ସଆପ୍‌ରେ ଲଗ୍ ଇନ୍ ସମ୍ଭବ ହେଉଥିଲା, କିନ୍ତୁ ସିମ୍ ବାଇଣ୍ଡିଂ ପରେ ଫୋନରେ ପଞ୍ଜୀକୃତ ସିମ୍ କାର୍ଡ ଥିଲେ ହିଁ ଆପ୍ ସକ୍ରିୟ ହେବ। ସରକାରଙ୍କ ମତାନୁସାରେ, ସାଇବର୍ ଠକେଇ ଓ ହ୍ୟାକିଂ ଘଟଣା ରୋକିବା ପାଇଁ ଏହି କଠୋର ନିୟମ ଆଣାଯାଇଛି। ସିମ୍ ବାଇଣ୍ଡିଂ ମାଧ୍ୟମରେ ମେସେଜିଂ ଆପ୍‌ଗୁଡ଼ିକୁ ଫୋନରେ ଥିବା ସିମ୍ ସହିତ ଲକ୍ କରାଯିବ, ଯାହାଦ୍ୱାରା ଅନ୍ୟ କୌଣସି ଡିଭାଇସରେ ଆପଣଙ୍କ ନମ୍ବର ବ୍ୟବହାର କରି ଠକେଇ କରିବା ସମ୍ଭବ ହେବ ନାହିଁ।

ନୂଆ ନିୟମ ଅନୁସାରେ କମ୍ପାନିମାନଙ୍କୁ ୧୨୦ ଦିନ ମଧ୍ୟରେ ନିୟମ ପାଳନ ସମ୍ପର୍କିତ ରିପୋର୍ଟ ଦେବାକୁ ପଡିବ। ନିୟମ ଉଲ୍ଲଂଘନ କରିଲେ ଟେଲିଯୋଗାଯୋଗ ଆଇନ ୨୦୨୩, ଟେଲିକମ୍ ସାଇବର୍ ସୁରକ୍ଷା ନିୟମ ଓ ଅନ୍ୟାନ୍ୟ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।କେନ୍ଦ୍ର ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଜାତୀୟ ସୁରକ୍ଷା ଓ ଠକେଇ ରୋକିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସମୟସୀମା ବୃଦ୍ଧି କରିବା ପାଇଁ କୌଣସି ଯୋଜନା ନାହିଁ। ସୁରକ୍ଷା ପ୍ରସଙ୍ଗରେ ସରକାର କୌଣସି ସାଲିସ କରିବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ତଥାପି ଶିଳ୍ପ ସଂଘ ଆଇଏଏମ୍ଏଆଇ ଏହି ନିୟମକୁ ନେଇ ସତର୍କ କରାଇଛି। ପ୍ରତି ଛଅ ଘଣ୍ଟାରେ ଲଗ୍ ଆଉଟ୍ ବ୍ୟବସ୍ଥା ବୃତ୍ତିଗତ କାର୍ଯ୍ୟରେ ଲାଗିଥିବା ଓ ସମାନ ଆକାଉଣ୍ଟ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ ବୋଲି ସଂଘ ମତ ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *