ନ୍ୟୁଜ ଡେକ୍ସ: ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ।ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ତାରିଖରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ପରି ଅଞ୍ଚଳରେ ଦେଖାଯିବ।
ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଦିନ ୧୦ଟା ୩୯ ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣ ଗ୍ରହଣ ଦିନ ୧୧ଟା ୫୬ରୁ ଦିନ ୧ଟା ୧ପର୍ଯ୍ୟନ୍ତ ଦେଖାଯିବ । ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୧୮ରେ ଶେଷ ହେବ । ଏହା ଭାରତରେ ଦିନବେଳା ଘଟୁଥିବାରୁ ଦୃଶ୍ୟମାନ ହେବ ନାହିଁ । ସେପ୍ଟେମ୍ବର ୭ ତାରିଖରେ ସଂଗଠିତ ହେବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମଗ୍ର ଭାରତ ସହ ଏସିଆର ଅନ୍ୟାନ୍ୟ ଦେଶ, ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବ।
ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ତାରିଖ ରାତି ୮ଟା ୫୮ରୁ ଆରମ୍ଭ ହୋଇ ୨ଟା ୨୫ ପର୍ଯନ୍ତ ରହିବ। ପୂର୍ଣ୍ଣ ଗ୍ରହଣ ରାତି ୧୦ଟାରୁ ରାତି ୧୨ଟା ୨୨ ମିନିଟ ପର୍ଯ୍ୟନ୍ତ ଦେଖାଦେବ।ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ। ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ।
