ନ୍ୟୁଜ ଡେକ୍ସ : ଓଡ଼ିଶା ପାଇଁ ଆନ୍ତର୍ଜାତୀୟ ବିମାନ ସଂଯୋଗ କ୍ଷେତ୍ରରେ ଆଉ ଏକ ବଡ଼ ଝଟକା ଲାଗିଛି। ଆସନ୍ତା ମାର୍ଚ୍ଚ ୨୮ ପରେ ଭୁବନେଶ୍ୱରରୁ ଦୁବାଇ ଓ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ବନ୍ଦ ହୋଇଯିବ। ଇଣ୍ଡିଗୋ ପକ୍ଷରୁ ଏହି ଦୁଇଟି ରୁଟ୍ରେ ଅନଲାଇନ ବୁକିଂ ବନ୍ଦ କରାଯାଇଥିବାରୁ ଏହି ସୂଚନା ସ୍ପଷ୍ଟ ହୋଇଛି।ଏହା ପୂର୍ବରୁ ଗତ ଡିସେମ୍ବରରୁ ଭୁବନେଶ୍ୱର–ଆବୁଧାବି ସିଧା ବିମାନ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା।
ମାସ ଏକ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ତୃତୀୟ ପ୍ରମୁଖ ଆନ୍ତର୍ଜାତୀୟ ରୁଟ୍ ବନ୍ଦ ହେବାକୁ ଯାଉଥିବାରୁ ପ୍ରବାସୀ ଓଡ଼ିଆ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଗଭୀର ଚିନ୍ତା ଦେଖାଦେଇଛି।ଦୁବାଇ–ଭୁବନେଶ୍ୱର ରୁଟ୍ ବନ୍ଦ ହେଲେ UAEରେ ବସବାସ କରୁଥିବା ୪୦ ହଜାରରୁ ଅଧିକ ଓଡ଼ିଆ ସିଧାସଳଖ ଭାବରେ ପ୍ରଭାବିତ ହେବେ। କେବଳ ଓଡ଼ିଶାକୁ ଯିବା-ଆସିବା ପାଇଁ ନୁହେଁ, ଅନ୍ୟ ଗଲ୍ଫ ଦେଶକୁ ଯାତ୍ରା କରିବା ପାଇଁ ମଧ୍ୟ ଏହି ରୁଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏନେଇ ଓଡ଼ିଆ ସମାଜ UAE ସଂଗଠନ ତୀବ୍ର ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛି। ଏହାସହିତ ଓଡ଼ିଶା ସମାଜ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହି ସେବା ପୁନଃଚାଲୁ କରିବାକୁ ଅନୁରୋଧ କରାଯାଇଛି।
ପ୍ରବାସୀ ଓଡ଼ିଆମାନେ କହିଛନ୍ତି ଯେ, ଏହି ବିମାନ ସେବା ଓଡ଼ିଶାର ପର୍ଯ୍ୟଟନ, ବ୍ୟବସାୟ ଓ ଗଲ୍ଫ ଦେଶ ସହ ସମ୍ପର୍କକୁ ମଜବୁତ କରିଥିଲା। ପୂର୍ବରୁ ୨୦୨୫ ସେପ୍ଟେମ୍ବରରେ ମଧ୍ୟ ଦୁବାଇ–ଭୁବନେଶ୍ୱର ସେବା ବନ୍ଦ କରିବା ପ୍ରସ୍ତାବ ଆସିଥିଲା, କିନ୍ତୁ ସେତେବେଳେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପରେ ସେବା ଜାରି ରହିଥିଲା।ଏଥର ମଧ୍ୟ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେଇ ବିମାନ ସେବା ଚାଲୁ ରଖିବେ କି ନାହିଁ, ସେଥିପାଇଁ ପ୍ରବାସୀ ଓଡ଼ିଆ ଏବଂ ସାଧାରଣ ଲୋକ ଅପେକ୍ଷାରେ ରହିଛନ୍ତି।

