Thu. Jun 4th, 2026

ନ୍ୟୁଜ ଡେକ୍ସ : କର୍ମଜୀବୀ ପିତାମାତାଙ୍କ ଶିଶୁମାନଙ୍କୁ ସୁରକ୍ଷିତ ଓ ସୁସଂଗଠିତ ଭାବେ ଲାଳନପାଳନ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମ୍ସି) ଏକ ନୂତନ ପଦକ୍ଷେପ ନେଇଛି। ସହିଦନଗରରେ ଅବସ୍ଥିତ ସମନ୍ୱିତ ସର୍ବସାଧାରଣ ସେବା କେନ୍ଦ୍ର (ଆଇପିଏସ୍ସି) ପ୍ରାଙ୍ଗଣରେ ଏକ ଆଧୁନିକ ଶିଶୁଗୃହ (କ୍ରେଚ୍)ର ଶୁଭାରମ୍ଭ କରାଯାଇଛି।ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ସରକାରୀ ପ୍ରୋତ୍ସାହନରେ ଚାଲିବାକୁ ଥିବା ଏହି କ୍ରେଚ୍ ରାଜ୍ୟରେ ପ୍ରଥମ ପ୍ରକାରର ପଦକ୍ଷେପ।

ଏଠାରେ ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୯ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ରଖାଯିବ। ମାସିକ ମାତ୍ର ୫୦୦ ଟଙ୍କା ଶୁଳ୍କରେ ଅଭିଭାବକମାନେ ଏହି ସୁବିଧା ଉପଲବ୍ଧ କରିପାରିବେ।ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଏମ୍ସି କମିସନର ଚଞ୍ଚଳ ରାଣା, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାଜକିଶୋର ଦାସ ଓ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ଅରବିନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ ଦୀନଦୟାଲ ଜନ ଜୀବିକା ଯୋଜନା (ସହରୀ)ର ସାମାଜିକ ଭିତ୍ତିଭୂମି ଅନ୍ତର୍ଗତ ରହିଛି ଏବଂ ସାମାଜିକ ସଂଗଠନ ‘ମୋବାଇଲ କ୍ରେଚେସ’ ସହଭାଗିତାରେ ଚାଲିବ। ଶିଶୁମାନଙ୍କ ପାଇଁ ଖେଳ ଉପକରଣ, ପ୍ରାରମ୍ଭିକ ଶିକ୍ଷା, ଗୀତ, ଖେଳକୁଦ ସହ ସୁନ୍ଦର ରଙ୍ଗିନ ପରିବେଶ ସୃଷ୍ଟି କରାଯାଇଛି।ବିଏମ୍ସି ଅନୁସାରେ, ଏହି ଶିଶୁଗୃହ ଶିଶୁଙ୍କ ମାନସିକ, ଶାରୀରିକ ଓ ଶିକ୍ଷାଗତ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ।

Leave a Reply

Your email address will not be published. Required fields are marked *