ନ୍ୟୁଜ ଡେକ୍ସ : ମାଲେସିଆ ଓପନ ସୁପର–୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସେମିଫାଇନାଲରେ ଭାରତର ତାରକା ଖେଳାଳି ପି.ଭି. ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି। ଚୀନର ବିଶ୍ବ ନମ୍ବର–୨ ଖେଳାଳି ଓ୍ବାଙ୍ଗ ଝିୟିଙ୍କ ବିରୋଧରେ ସିନ୍ଧୁ ସିଧାସଳଖ ଦୁଇଟି ସେଟରେ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍ରେ ସିନ୍ଧୁ ୧୬–୨୧ ଓ ୧୫–୨୧ ସେଟରେ ହାରିଥିଲେ।
ଉଭୟ ସେଟରେ ସେ ପ୍ରାରମ୍ଭରେ ଅଗ୍ରଣୀ ହାସଲ କରିଥିଲେ ବି ଓ୍ବାଙ୍ଗ ଝିୟିଙ୍କ ଆକ୍ରମଣାତ୍ମକ ଖେଳ ସାମ୍ନାରେ ସେ ଧାରାବାହିକତା ରଖି ପାରିନଥିଲେ।ଗୋଡ଼ ଆଘାତ କାରଣରୁ ଦୀର୍ଘ ସମୟ ଧରି କୋର୍ଟରୁ ଦୂରେଇ ଥିବା ପରେ ଏହା ସିନ୍ଧୁଙ୍କ ପ୍ରଥମ ଟୁର୍ଣ୍ଣାମେଣ୍ଟ ଥିଲା।
ଫେରା ପରେ ସେ ଏହି ଟୁର୍ଣ୍ଣାମେଣ୍ଟରେ ଉତ୍ସାହଜନକ ପ୍ରଦର୍ଶନ କରିଥିଲେ। ତଥାପି, ସେମିଫାଇନାଲରେ ପରାଜୟ ସହ ମାଲେସିଆ ଓପନରେ ଭାରତର ଅଭିଯାନ ଶେଷ ହୋଇଛି। ଦୁଇଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁଙ୍କ ଏହି ପ୍ରଦର୍ଶନ ଆଗାମୀ ଟୁର୍ଣ୍ଣାମେଣ୍ଟଗୁଡ଼ିକ ପାଇଁ ଆଶାଜନକ ବୋଲି କ୍ରୀଡା ପ୍ରେମୀମାନେ ମନେ କରୁଛନ୍ତି।

