ନ୍ୟୁଜ ଡେକ୍ସ: ଲକ୍ଷପତି ଦିଦିକୁ ନେଇ ବିଜେଡିର ପ୍ରଶ୍ନବାଣ। ମିଛ କହିବାରେ ବିଜେପି ପାର୍ଟି ଓ ବିଜେପି ସରକାର ଅଭ୍ୟସ୍ତ। ବିଜେପି ସରକାର ଆସିବା ଦିନୁ, ମିଥ୍ୟା, ଅସତ୍ୟ ଓ ଅର୍ଦ୍ଧ ସତ୍ୟ ଉପରେ ଚାଲିଛି। ମିଥ୍ୟା କହି ୫ ବର୍ଷ ପାରି ହେବାକୁ ଚାଁହୁଛି ବିଜେପି। ବିଜେଡି ସରକାର ଯାହା କରିଛନ୍ତି ସେଥିରେ ପାରି ହେବାକୁ ବିଜେପି ଚେଷ୍ଟା କରୁଛି।
ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ଗୋଟିଏ ବର୍ଷରେ ୧୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛନ୍ତି ବୋଲି ବିଜେପି ସରକାର ଯାହା ଦାବି କରିଛନ୍ତି, ତାହା ହାସ୍ୟାସ୍ପଦ । କାହାକୁ ଲକ୍ଷପତି ଦିଦି ଭାବେ ବିଚାର କରାଯାଉଛି ସରକାର ତାହା ସ୍ପଷ୍ଟ କରିନାହାନ୍ତି । ଲକ୍ଷପତି ଦିଦି କରିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି,ତାର ମଧ୍ୟ ସୂଚନା ନାହିଁ । ରାତାରାତି ଲକ୍ଷପତି ଦିଦି ଘୋଷଣା କରି ବିଜେପି ସରକାର ନିଜ ସଫଳତା ଦାବି କରୁଛନ୍ତି ।
ତେଣୁ, ଏ ବାବଦରେ ବିଜେପି ସରକାର ସ୍ପଷ୍ଟୀକରଣ ଦେବା ଦରକାର ।ଉଲ୍ଲେଖ୍ୟଯୋଗ୍ୟ, ବିଜେପି ସରକାର ଏହି ବର୍ଷର ବଜେଟରେ ମିଶନ ଶକ୍ତି ପାଇଁ ୧୫୯୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ ଯାହା ୨୦୨୩-୨୪ ରେ ୩୩୧୬ କୋଟି ଥିଲା । ବଜେଟର ଅର୍ଥ ବରାଦ କମିଥିଲା ବେଳେ ଲକ୍ଷପତି ଦିଦି ହେଲେ କିପରି ବୋଲି ଡ଼ଃ ସାମନ୍ତସିଂହାର ପ୍ରଶ୍ନ କରିଥିଲେ । ସୁଭଦ୍ରା ଯୋଜନାରେ ମାସକୁ ୮୩୩ ଟଙ୍କା ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରୁଛନ୍ତି ବୋଲି ଯଦି ଦାବି କରନ୍ତି, ତାହା ଆହୁରି ହାସ୍ୟାସ୍ପଦ ।
