Thu. Oct 23rd, 2025

ନ୍ୟୁଜ ଡେକ୍ସ : ବରିଷ୍ଠ ଆଇନଜୀବୀ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା ପ୍ରତିବାଦରେ ସମଗ୍ର ରାଜ୍ୟରେ ଆଇନଜୀବୀମାନେ ଆଜି କଲମ ଛାଡ଼ ଆନ୍ଦୋଳନ କରୁଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ଡାକିଥିବା ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପରିଷଦ ପକ୍ଷରୁ ଜଣାଯାଇଛି ଯେ, ଘଟଣାରେ ଜଡିତ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବା ଆବଶ୍ୟକ।

ଏହା ସହିତ, ପୀତବାସ ପଣ୍ଡାଙ୍କ ପରିବାରକୁ କୋଟିଏ ଟଙ୍କା ଆର୍ଥିକ ସାହାଯ୍ୟ ଦେବାକୁ ରାଜ୍ୟ ସରକାର ନିକଟରେ ଦାବି କରାଯାଇଛି। ଉଚ୍ଚସ୍ତରୀୟ ବିଚାର ବିଭାଗୀୟ କମିସନ ଦ୍ୱାରା ହତ୍ୟା ଘଟଣାର ତଦନ୍ତ କରାଯିବା ଦାବି ଉଠିଛି। ପରିଷଦ ଦାବି କରିଛି ଯେ, ତିନି ମାସ ମଧ୍ୟରେ ହତ୍ୟାର ପଛରେ ଥିବା କାରଣ ଓ ଷଡ଼ଯନ୍ତ୍ର ନେଇ ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ ହେବା ଉଚିତ ।

ଆଇନଜୀବୀମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମଧ୍ୟ ପରିଷଦ ଦାବି କରିଛି। ୪୮ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର କୋର୍ଟ ପରିସରରେ ସିସିଟିଭି କ୍ୟାମେରା ସ୍ଥାପନ ଓ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇଁ ରାଜ୍ୟ ସରକାରକୁ ନିବେଦନ କରାଯାଇଛି।ରାଜ୍ୟର ସମସ୍ତ ବାର ଏସୋସିଏସନମାନେ ଏହି ଆନ୍ଦୋଳନରେ ସମ୍ମିଳିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *