ନ୍ୟୁଜ ଡେକ୍ସ: ଶୀତ ଉଭାନ୍ ହୋଇଗଲାଣି । ଏବେ କାଁ ଭାଁ କେଉଁଠି ଶୀତ ଅନୁଭୂତ ହେଉଛି । ହାତଗଣତି କିଛି ସ୍ଥାନକୁ ଛାଡ଼ିଲେ ବାକି ସବୁଠି ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହୁଛି । ଆସନ୍ତା ୧ ତାରିଖରୁ ରାତି ତାପମାତ୍ରା ଆହୁରି ବଢ଼ିବ । ଶୀତ ପୂରା ଗାଏବ ହୋଇଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।
ଆଜି ପାଇଁ ଘନ କୁହୁଡି ନେଇ ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣି ଜାରି କରିଥିବା ବେଳେ ଆସନ୍ତାକାଲି ପାଇଁ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିବାର ଥିବା ବେଳେ କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ସେପଟେ ଘନ କୁହୁଡି ସମୟରେ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝରରେ ଘନ କୁହୁଡ଼ି ହୋଇପାରେ ।
ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯିବ । ବୁଧବାର ଗଞ୍ଜାମ, ଗଜପତି, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । କିଛି ଜିଲ୍ଲାରେ ଦିନର ତାପମାତ୍ରା ସାମାନ୍ୟ ବୃଦ୍ଧି ହେବା ନେଇ ଆକଳନ କରାଯାଇଛି ।

