ନ୍ୟୁଜ ଡେକ୍ସ : ରାଜ୍ୟରେ ଆଗାମୀ ତିନି ଦିନ ଯାଏଁ ଝଡ଼ବର୍ଷା ଏବଂ ଘଡ଼ଘଡ଼ି ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଦମକା ପବନ ବହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସଚେତନ ରହିବାକୁ କୁହାଯାଇଛି।ଆଜି ପାଇଁ ରାଜ୍ୟର ୯ଟି ଜିଲ୍ଲାକୁ କମଳା ସତର୍କତା ଜାରି କରାଯାଇଛି।
ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।ଅନ୍ୟପକ୍ଷରେ, କାଳବୈଶାଖୀ ପ୍ରଭାବରେ ଆଜି ୧୪ଟି ଜିଲ୍ଲାକୁ କମଳା ସତର୍କତା ଏବଂ ୧୬ଟି ଜିଲ୍ଲାକୁ ହଳଦିଆ ସତର୍କତା ଜାରି କରାଯାଇଛି। ଦିନବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟା ସମୟରେ କଳା ମେଘ ଘନେଇ ଆସି ବର୍ଷା କରୁଥିବା ଦେଖାଯାଉଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବା ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଦମକା ପବନ ବହିପାରେ। ଏହାକୁ ଦୃଷ୍ଟିରେ ରଖି ମାଛଧରାଳି, ଚାଷୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।

