Thu. Oct 23rd, 2025

ନ୍ୟୁଜ ଡେକ୍ସ: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଗୁରୁବାର ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବା ସହ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନରହିବ ସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜନତା ମଇଦାନରେ ମୁଖ୍ୟମନ୍ତ୍ରୀ ପୂରା ସ୍ଥାନ ପରିଦର୍ଶନ କରିଥିଲେ। ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନହୁଏ ଏବଂ ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ବନ୍ଧୀୟ କାର୍ଯ୍ୟ ଠିକ୍ ଭାବେ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ସନ୍ଧ୍ୟା ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ମୁଖ୍ୟମନ୍ତ୍ରୀଙ୍କ ଯାଞ୍ଚ ସମୟରେ କାର୍ଯ୍ୟ ଏବଂ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ଓଡ଼ିଶା ସଭାପତି ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହ-ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଥିଲେ। ସେପେଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା ।

୧୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୫୦୦ରୁ ଅଧିକ ଅଫିସର ମୁତୟନ ଅଛନ୍ତି । ପାଖାପାଖି ୨୦ ଆଡିସନାଲ ଡିସିପି ଏବଂ ଡିସିପି, ଆଇଜି ଓ ଆଡିସନାଲ ଡିଜି ରାଙ୍କ ଅଫିସର ମଧ୍ୟ ଦାୟିତ୍ୱରେ ଅଛନ୍ତି । ଏହାସହ ସେଣ୍ଟ୍ରାଲ ଆର୍ମଡ୍ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ଏବଂ ମ୍ୟାନେମେଣ୍ଟ, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।

ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ପାଇଁ ଟ୍ରାଫିକ୍ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଡ୍ରୋନ୍ ଉଡ଼ାଇବା ଉପରେ ରୋକ୍ ଲଗାଯାଇଛି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *