Thu. Jun 4th, 2026

ନ୍ୟୁଜ ଡେକ୍ସ : ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡକୁ ନେଇ ପୁଣି ଅଶାନ୍ତ ହୋଇଉଠିଛି ରାୟଗଡ଼ା ସହର। ପିଟଲା ସାହି ଓ ରେଲି ସାହିର ଯୁବକମାନଙ୍କ ମଧ୍ୟରେ ଗାଳିଗୁଲଜ ଓ ମାରପିଟକୁ କେନ୍ଦ୍ର କରି ଗତକାଲି ରାତିରେ ରାୟଗଡ଼ା ଥାନା ସମ୍ମୁଖରେ ଉତ୍ତେଜନାକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ଗୋଷ୍ଠୀର ଲୋକମାନେ ଢେଲାପଥର ମାଡ଼ କରିଥିବା ବେଳେ ଘଟଣାରେ ୩ ଜଣ ଆହତ ହୋଇଛନ୍ତି।

ଆହତମାନଙ୍କ ମଧ୍ୟରେ ପିଟଲା ସାହିର ଆନ୍ନାମାଝୀ ଯାକକା, ତ୍ରିନାଥ ମେଲେକା ଏବଂ ରେଲି ସାହିର ଶୁଣ୍ଢୀ ସୂରଜ ଥିବା ସୂଚନା ମିଳିଛି। ପୋଲିସ ତୁରନ୍ତ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଥାନା ସମ୍ମୁଖରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।ଖବରମୁତାବକ, ରେଲି ସାହିର କିଛି ଯୁବକ ପିଟଲା ସାହିରେ ପଶି ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦରେ ପିଟଲା ସାହିର ଲୋକମାନେ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ।

ସେହି ସମୟରେ ରେଲି ସାହିର କିଛି ଯୁବକ ମଧ୍ୟ ସେଠାରେ ପହଞ୍ଚି ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଥିଲା। ଥାନା ସମ୍ମୁଖରେ ମାରପିଟ ସହ ଢେଲାମାଡ଼ ଘଟିଥିଲା।ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ଘଟିଥିବା ହାଡପା ନିଖିଲ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଉମେଶ ହିଆଲଙ୍କ ସହ ଅନ୍ୟ ୮ ଜଣଙ୍କୁ ପୋଲିସ ରାଜ୍ୟ ଓ ରାଜ୍ୟ ବାହାରରୁ ଗିରଫ କରିଥିଲା। ଏହା ପରଠାରୁ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି।

Leave a Reply

Your email address will not be published. Required fields are marked *