ନ୍ୟୁଜ ଡେକ୍ସ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ପିଲାଚୋରି ସନ୍ଦେହକୁ କେନ୍ଦ୍ର କରି ଘଟିଥିବା ଭିଡ଼ ହିଂସା ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ର ଅନୁସାରେ ଏନଆଇଏର ଅଧିକାରୀମାନେ ରାୟଗଡ଼ାରେ ପହଞ୍ଚି କଲ୍ୟାଣସିଂହପୁର ଅଞ୍ଚଳକୁ ଯାଇଛନ୍ତି। ତେବେ ଏହି ତଦନ୍ତ ସମ୍ପର୍କରେ ଏନଆଇଏ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ପ୍ରକାଶ କରାଯାଇନାହିଁ।
ଏହାପୂର୍ବରୁ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଏହି ଘଟଣାକୁ ‘ରେଡ୍ ଫ୍ଲାଗ୍’ ମାମଲା ବୋଲି ଘୋଷଣା କରିଥିଲେ। କ୍ରାଇମ ବ୍ରାଞ୍ଚ ରାୟଗଡ଼ା ପୁଲିସକୁ ତଦନ୍ତରେ ସହଯୋଗ କରୁଥିବା ବେଳେ ପୁଲିସର ମହିଳା ଓ ଶିଶୁ ବିରୋଧୀ ବିଭାଗର ଏଡିଜି ଏସ. ସାଇନି ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି ବୋଲି ପୁଲିସ ସୂଚନା ଦେଇଛି।
ରାୟଗଡ଼ା ଏସପି ରାଜ ପ୍ରସାଦଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କୁ ଗିରଫ କରାଯାଇଛି। ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଚାଲିଥିବା ବେଳେ ଅନ୍ୟ କିଛି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜୋରଦାର କରାଯାଇଛି।ଘଟଣାର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇଟି ଆକ୍ଟ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି। ଏହି ଦିଗରେ ପୁଲିସର ସାଇବର ଟିମ୍ ଏବଂ ଦକ୍ଷିଣ-ପୂର୍ବାଞ୍ଚଳ ଡିଆଇଜି ଅଖିଳେଶ୍ୱର ସିଂଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି।
ସୂଚନା ଅନୁଯାୟୀ, ଦିଲ୍ଲୀରୁ ଫେଲୋସିପ୍ ଓ ଗବେଷଣା କାର୍ଯ୍ୟ ପାଇଁ ଓଡ଼ିଶା ଆସିଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀ ଗୁଗୁଲ ମ୍ୟାପ୍ ସହାୟତାରେ ଦାରିଙ୍ଗିବାଡ଼ିରୁ କଳାହାଣ୍ଡିର ଥୁଆମୂଳ ରାମପୁର ଯାଉଥିବା ବେଳେ ବାଟ ଭୁଲି କଲ୍ୟାଣସିଂହପୁର ବ୍ଲକର କାନ୍ଦୁଲଗୁଡ଼ା ଅଞ୍ଚଳରେ ପହଞ୍ଚିଥିଲେ। ସେହି ସମୟରେ ପିଲାଚୋରି ଗୁଜବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଥିଲା।
ଅଭିଯୋଗ ଅନୁସାରେ, କିଛି ମଦ୍ୟପ ଯୁବକ ସେମାନଙ୍କୁ ପିଛା କରିଥିଲେ। କଲ୍ୟାଣସିଂହପୁର ନିକଟସ୍ଥ ସାଇନଗର ଛକରେ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୂର୍ବରୁ ଗୁଜବକୁ ନେଇ ସେଠାରେ ଜମିଥିବା ଲୋକଙ୍କ ଭିଡ଼ ଉତ୍ତେଜିତ ହୋଇ ପ୍ରାୟ ୧୫ରୁ ୨୦ ମିନିଟ୍ ମଧ୍ୟରେ ୫୦୦ରୁ ଅଧିକ ଲୋକ ଏକତ୍ରିତ ହୋଇ ଭିଡ଼ ହିଂସାର ରୂପ ନେଇଥିବା ତଦନ୍ତରୁ ସାମ୍ନାକୁ ଆସିଛି।ଏହି ଘଟଣାରେ ପୁରୁଷ ସ୍ୱେଚ୍ଛାସେବୀ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପୁଲିସ ଥାନାରେ ପହଞ୍ଚିଥିବା ବେଳେ ଯୁବତୀ ଜଣକ ଭିଡ଼ ମଧ୍ୟରେ ଫସିଯାଇଥିଲେ। ଦିଲ୍ଲୀରୁ ଆସିଥିବା ଏହି ଦୁଇ ଗବେଷକଙ୍କ ସହ ଘଟିଥିବା ବର୍ବରୋଚିତ ଘଟଣା ସମଗ୍ର ଓଡ଼ିଶାରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କରିଛି।
ଏଭଳି ସ୍ପର୍ଶକାତର ଘଟଣାରେ ଜାତୀୟ ସ୍ତରର ତଦନ୍ତକାରୀ ସଂସ୍ଥା ଏନଆଇଏର ସମ୍ପୃକ୍ତିକୁ ନେଇ ଘଟଣାର ଗୁରୁତ୍ୱ ଆହୁରି ବଢ଼ିଛି। ତେବେ ତଦନ୍ତ ଜାରି ଥିବାରୁ ଏନଆଇଏ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତି ଜାରି କରାଯାଇନାହିଁ।

