ନ୍ୟୁଜ ଡେକ୍ସ : ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅଧୀନ ଲୁହାମୁଣ୍ଡା ଫ୍ଲାଏଓଭର ଉପରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ଘରୋଇ ଯାତ୍ରୀବାହୀ ବସ ‘ଦିଲଖୁସ’ ଏକ ଟ୍ରକ ପଛରେ ଧକ୍କା ଦେବା ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ୮ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବସଟି ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବାବେଳେ ଲୁହାମୁଣ୍ଡା ଫ୍ଲାଏଓଭର ନିକଟରେ ହଠାତ୍ ବସଟି ନିୟନ୍ତ୍ରଣ ହରାଇ ସମ୍ମୁଖରେ ଯାଉଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା।ଧକ୍କା ଏତେ ଜୋରଦାର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ ଚୂର୍ଣ୍ଣବିଚୂର୍ଣ୍ଣ ହୋଇପଡ଼ିଥିଲା। ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।ଖବର ପାଇ ତୁରନ୍ତ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।
ଆହତମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। କିଛି ଆହତଙ୍କ ଅବସ୍ଥା ଚିନ୍ତାଜନକ ଥିବା ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି। ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ହଣ୍ଡପା ପୋଲିସ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

