ନ୍ୟୁଜ ଡେକ୍ସ : ଭାରତୀୟ ସେନାର ନେତୃତ୍ୱରେ ଆସିବାକୁ ଯାଉଛି ପରିବର୍ତ୍ତନ। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଦେଶର ପରବର୍ତ୍ତୀ ସେନା ମୁଖ୍ୟ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦେଶରେ ସୂଚନା ଦିଆଯାଇଛି ଯେ, ରାଷ୍ଟ୍ରପତି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।ଧୀରଜ ସେଠ୍ ଆସନ୍ତା ୩୦ ଜୁନ୍ ୨୦୨୬ରେ କାର୍ଯ୍ୟଭାର ଗ୍ରହଣ କରିବେ। ସେ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସ୍ଥାନ ନେବେ।
ନୂତନ ସେନା ମୁଖ୍ୟ ଭାବେ ତାଙ୍କର କାର୍ଯ୍ୟକାଳ ୩୧ ଅଗଷ୍ଟ ୨୦୨୮ ପର୍ଯ୍ୟନ୍ତ ରହିବ।ଉଲ୍ଲେଖଯୋଗ୍ୟ ଯେ, ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩୦ ଜୁନ୍ ୨୦୨୪ରେ ସେନା ମୁଖ୍ୟ ପଦ ଗ୍ରହଣ କରିଥିଲେ। ନିୟମ ଅନୁସାରେ ସେନା ମୁଖ୍ୟଙ୍କ କାର୍ଯ୍ୟକାଳ ତିନି ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ରହିଥାଏ, ଯାହା ପୂର୍ବରୁ ହୁଏ।ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କର ସେନା କ୍ଷେତ୍ରରେ ଚାରି ଦଶକରୁ ଅଧିକ ଅନୁଭବ ରହିଛି। ସେ ମହାରାଷ୍ଟ୍ରର ପୁଣେସ୍ଥିତ ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର। ୧୯୮୬ ମସିହାରେ ସେ ସଶସ୍ତ୍ର ବାହିନୀରେ ଯୋଗଦେଇଥିଲେ।
ନିଜ ଦୀର୍ଘ ସେବାକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ରଣନୀତିକ ଦାୟିତ୍ୱ ସଫଳତାର ସହ ପାଳନ କରିଛନ୍ତି।ବିଭିନ୍ନ ଭୂଭାଗ ଓ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିରେ କାମ କରିବା ସହ ସେ ଆତଙ୍କବାଦ ବିରୋଧୀ ଅଭିଯାନରେ ମଧ୍ୟ ଉଲ୍ଲେଖନୀୟ ଭୂମିକା ନିଭାଇଛନ୍ତି। ତାଙ୍କର ନେତୃତ୍ୱରେ ଭାରତୀୟ ସେନା ଆହୁରି ସଶକ୍ତ ଓ ଆଧୁନିକ ହେବ ବୋଲି ଆଶା କରାଯାଉଛି।

