ନ୍ୟୁଜ ଡେକ୍ସ : ଜିଏସଟି ସ୍ଲାବ ପରିବର୍ତ୍ତନ ପ୍ରସଙ୍ଗରେ ସରକାରଙ୍କ ଉପରେ ଗର୍ଜିଛି ବିଜେଡ଼ି । କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ହେଉ ବୋଲି ବିଜେଡି ଦାବି କରିଛି । କହିରଖୁ, ଏବେବି କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରେ ୫% ଜିଏସଟି ରହିଛି । ଯାହା ଛାଡ଼ ହେବା ଉଚିତ ବୋଲି ଜଣାଇଛି ବିରୋଧୀ ଦଳ ।
ଏହାଛଡା ନୂତନ ସ୍ଲାବ ଜିଏସଟି ଯୋଗୁଁ, ଓଡିଶା ସରକାରଙ୍କୁ ପ୍ରତି ମାସରେ ପ୍ରାୟ ୧୦୦୦ କୋଟି ଟଙ୍କାର ରାଜସ୍ୱହାନୀ ହେବାର ଆଶଙ୍କା ସୃଷ୍ଟି ହୋଇଛି, ଯାହାକୁ କେନ୍ଦ୍ର ସରକାର ଭରଣା କରିବା ଦରକାର ବୋଲି ବିଜେଡି କହିଛି ।ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଧାୟକ ତଥା ଦଳର ବରିଷ୍ଠ ଉପସଭାପତି ନିରଞ୍ଜନ ପୂଜାରୀ ଜିଏସଟି ସ୍ଲାବ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ କ’ଣ ପ୍ରଭାବ ପଡିବ, ତାର ସୂଚନା ଦେଇଥିଲେ ।
ଦେବୀ ପ୍ରସାଦ ମିଶ୍ର କହିଥିଲେ, ୨୦୧୮ ମସିହାରୁ କେନ୍ଦୁପତ୍ର ଉପରେ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ ପାଇଁ ବିଜୁ ଜନତା ଦଳ କହି ଆସୁଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦୁପତ୍ର ଉପରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ପାଇଁ ଚିଠି ଲେଖିଥିଲେ ।
