ନ୍ୟୁଜ ଡେକ୍ସ : ଶୀତ ଋତୁରେ ବଜାରକୁ ଆସୁଥିବା ଅନେକ ମୌସୁମୀ ଫଳ ମଧ୍ୟରେ କମଳା ଏକ ଅତ୍ୟନ୍ତ ଲାଭଦାୟକ ଫଳ ଭାବେ ବିଶେଷଜ୍ଞମାନେ ମନୋ କରୁଛନ୍ତି। କମଳାରେ ଥିବା ପୁଷ୍ଟିକର ଉପାଦାନ ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ବିଶେଷକରି ଶୀତ ଦିନେ ଥଣ୍ଡା, କାଶ ଓ ଫ୍ଲୁ ଭଳି ରୋଗରୁ ବଞ୍ଚିବା ପାଇଁ କମଳା ଅତ୍ୟନ୍ତ ଉପକାରୀ।କମଳାରେ ଭିଟାମିନ୍ ଏ, ବି, ସି ସହିତ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପ୍ରଚୁର ମାତ୍ରାରେ ମିଳିଥାଏ।
ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ମୌସୁମୀ ରୋଗରୁ ସୁରକ୍ଷା ମିଳେ।କମଳା ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ। ଏଥିରେ ଥିବା ଫାଇବର ଗୁଣ ଶରୀରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରିଆ ଅନୁଭବ କରାଇଥାଏ, ଫଳରେ ବାରମ୍ବାର ଭୋକ ଲାଗେନି ଏବଂ ଓଜନ ବଢ଼ିବାର ସମ୍ଭାବନା କମିଯାଏ।ଦାନ୍ତ ଓ ହାଡକୁ ଶକ୍ତିଶାଳୀ କରିବାରେ ମଧ୍ୟ କମଳା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ଏଥିରେ ଥିବା କ୍ୟାଲସିୟମ୍ ହାଡ ଦୃଢ଼ କରିବା ସହ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ। କମଳାରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା ଥଣ୍ଡା, କାଶ ଓ କଫ ଭଳି ସମସ୍ୟାରୁ ରକ୍ଷା କରିଥାଏ।
ବିଶେଷଜ୍ଞମାନଙ୍କ ମତାନୁସାରେ, ନିୟମିତ କମଳା କିମ୍ବା କମଳା ରସ ସେବନ କଲେ କିଡନୀ ଷ୍ଟୋନ ସମସ୍ୟା ମଧ୍ୟ ଧୀରେ ଧୀରେ କମିଯାଏ।ଚର୍ମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କମଳା ଅତ୍ୟନ୍ତ ଉପକାରୀ। ଏଥିରେ ଥିବା ଭିଟାମିନ୍ ସି, ଏ ଓ ଇ ଚର୍ମକୁ ସୁସ୍ଥ, ଉଜ୍ଜ୍ୱଳ ଏବଂ ଦାଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ।ସେହିପରି, ଶୀତ ଋତୁରେ ଦୈନିକ ଖାଦ୍ୟସୂଚୀରେ କମଳାକୁ ସାମିଲ କରିଲେ ଶରୀର ସୁସ୍ଥ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

