ନ୍ୟୁଜ ଡେକ୍ସ : ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଆଲୋକୀକରଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ବୈଠକରେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ୧୮ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହି ପ୍ରକଳ୍ପ ପୂର୍ଣ୍ଣ ହେଲେ ଦେଢ଼ କିଲୋମିଟର ଦୂରରୁ ମଧ୍ୟ ଶ୍ରୀମନ୍ଦିର ଝଲସି ଉଠିବ।
ଯୋଜନା ଅନୁଯାୟୀ ଶ୍ରୀମନ୍ଦିରର ଚାରିଟି ଦ୍ୱାର, ଗର୍ଭଗୃହ ଶିଖର, ନାଟମଣ୍ଡପ, ଜଗମୋହନ ଓ ମେଘନାଦ ପାଚେରି ସହ ଭିତର ବେଢ଼ା ସବୁ ଆଲୋକମୟ ହେବ। ତେବେ ଶ୍ରୀମନ୍ଦିରର ଗରିମା ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ କୌଣସି ରଙ୍ଗୀନ୍ କିମ୍ବା ଫ୍ଲାସ୍ ଲାଇଟ୍ ବ୍ୟବହାର କରାଯିବ ନାହିଁ।ଏହା ସହ ପାଶ୍ୱର୍ବର୍ତ୍ତୀ ଦେବଦେବୀଙ୍କ ମନ୍ଦିରଗୁଡ଼ିକୁ ମଧ୍ୟ ଏପରି ଭାବରେ ଆଲୋକୀକରଣ କରାଯିବ ଯାହା ଦୂରରୁ ସ୍ପଷ୍ଟ ଦେଖାଯିବ। ପ୍ରଥମେ ଡେମୋ ପ୍ରଦର୍ଶନ ପରେ ଉପଯୁକ୍ତ ଲାଇଟ୍ ବିଚାର କରାଯିବ ବୋଲି ସୂଚନା ମିଳିଛି।
ଏଏସଆଇ ନିୟମ ଅନୁସାରେ ସମସ୍ତ ଇନ୍ଷ୍ଟଲେସନ୍ କାର୍ଯ୍ୟ କରାଯିବ ଏବଂ ଶ୍ରୀମନ୍ଦିରର ଐତିହ୍ୟ ଢାଞ୍ଚାକୁ କୌଣସି କ୍ଷତି ନ ହୋଇଥିବାକୁ ବିଶେଷ ଧ୍ୟାନ ଦିଆଯିବ। କୌଣସି ସ୍କ୍ରୁ ବ୍ୟବହାର ନକରି ଲାଇଟ୍ ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି।ଏହି ପ୍ରକଳ୍ପ ପାଇଁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଉଜୈନର ମହାକାଳେଶ୍ୱର ମନ୍ଦିର ଓ ଅଯୋଧ୍ୟାର ଆଦର୍ଶରେ ଏହି ଆଲୋକୀକରଣ କାମ କରାଯିବ ବୋଲି ପ୍ରଶାସନ ଯୋଜନା କରିଛି।

