Wed. Jun 3rd, 2026

ନ୍ୟୁଜ ଡେକ୍ସ : ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଭିଜିଲାନ୍ସ ଜଣେ ସମବାୟ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଧିକାରୀ ହେଲେ ପତିତପାବନ ମାଝୀ। ତାଙ୍କ ବିରୋଧରେ ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଛି।ପତିତପାବନ ମାଝୀ ବର୍ତ୍ତମାନ ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କ (AUCCB) ମୁଖ୍ୟାଳୟରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଥିଲେ।

ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ସେ ଗଡ଼ସନ୍ତ୍ରୀ ସର୍ଭିସ୍ କୋ-ଅପରେଟିଭ୍ ସୋସାଇଟିର କାର୍ଯ୍ୟନିର୍ବାହୀ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ସେ ଦୈନିକ ଆଦାୟ ହେଉଥିବା ଅର୍ଥ ଓ ସରକାରୀ ଜମା ରାଶି ପରିଚାଳନାର ଦାୟିତ୍ୱରେ ଥିବାବେଳେ ଡେ-ବୁକ୍‌ରେ ଜାଲିଆତିପୂର୍ଣ୍ଣ ଓ ମିଥ୍ୟା ଏଣ୍ଟ୍ରି କରି ମୋଟ ୩୩ ଲକ୍ଷ ୮୦ ହଜାର ୯୬୩ ଟଙ୍କା ଆତ୍ମସାତ କରିଥିଲେ।

ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଖାତାବହିରେ ସମସ୍ତ କାରବାର ସଠିକ୍ ଭାବେ ଦର୍ଶାଯାଇଥିବା ସତ୍ତ୍ୱେ ସମ୍ପୃକ୍ତ ନଗଦ ଅର୍ଥ ଅନୁଗୁଳ ୟୁନାଇଟେଡ୍ ସେଣ୍ଟ୍ରାଲ୍ କୋ-ଅପରେଟିଭ୍ ବ୍ୟାଙ୍କର ବଅଁରପାଳ ଶାଖାରେ ଜମା ହୋଇନଥିଲା। କୃଷି ଓ ସମବାୟ ଉନ୍ନୟନ ଯୋଜନା ପାଇଁ ଉଦ୍ଦିଷ୍ଟ ଏହି ସରକାରୀ ଅର୍ଥକୁ ବ୍ୟକ୍ତିଗତ ବ୍ୟବହାର ପାଇଁ ହଡ଼ପ କରାଯାଇଥିବା ଭିଜିଲାନ୍ସ ଅଭିଯୋଗ କରିଛି। ଘଟଣାରେ ମାମଲା ରୁଜୁ କରାଯାଇ ପତିତପାବନ ମାଝୀଙ୍କୁ ଗିରଫ କରାଯାଇଛି। ଏହି ଅର୍ଥ ହଡ଼ପ ଘଟଣାରେ ଆହୁରି ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *