ନ୍ୟୁଜ ଡେକ୍ସ : ଇନ୍ଧନ ଦରର ଲଗାତାର ବୃଦ୍ଧି ଏବଂ ଏହାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିବାର ଆଶଙ୍କା ମଧ୍ୟରେ ଓଡ଼ିଶା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କାର୍ଯ୍ୟ ପାଇଁ କେବଳ ବିଦ୍ୟୁତ୍ଚାଳିତ ଯାନ କ୍ରୟ କରାଯିବ। ଆଜିଠାରୁ ଏହି ନିୟମ ସମସ୍ତ ସରକାରୀ ବିଭାଗ ପାଇଁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇଛି।ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବର୍ଦ୍ଧିତ ଇନ୍ଧନ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ସରକାରଙ୍କ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶନାମାରେ ଯାନ କ୍ରୟ ସମ୍ପର୍କିତ ବିଭିନ୍ନ ନିୟମାବଳୀ ନିର୍ଦ୍ଧାରଣ କରାଯାଇଛି।ନୂତନ ନିର୍ଦ୍ଦେଶ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ବିଚାରପତି ଏବଂ ମନ୍ତ୍ରୀମାନଙ୍କ ପାଇଁ ବିଦ୍ୟୁତ୍ଚାଳିତ ଯାନ କ୍ରୟର ସର୍ବାଧିକ ସୀମା ୩୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ମୁଖ୍ୟ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସଚିବ ଓ ସମପାହ୍ୟାର ଅଧିକାରୀମାନଙ୍କ ପାଇଁ ଏହି ସୀମା ୨୫ ଲକ୍ଷ ଟଙ୍କା ରହିଛି। ସେହିପରି ଜିଲ୍ଲା ଜଜ୍, ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସ ମୁଖ୍ୟମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ସୀମା ନିର୍ଦ୍ଧାରଣ କରାଯାଇଛି। ସରକାରୀ ବ୍ୟବହାର ପାଇଁ କେବଳ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ନିର୍ମିତ ବିଦ୍ୟୁତ୍ଚାଳିତ ଯାନ କ୍ରୟ କରାଯାଇପାରିବ। ତେବେ କୌଣସି ଯାନ କ୍ରୟ ପୂର୍ବରୁ ଅର୍ଥ ବିଭାଗର ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ ରହିଛି।
ଏହା ସହିତ ରାଜ୍ୟରେ “ଜଣେ ଅଧିକାରୀ, ଗୋଟିଏ ଯାନ” ନୀତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ଅତ୍ୟାବଶ୍ୟକ ଓ ବିଶେଷ ପରିସ୍ଥିତିକୁ ବାଦ ଦେଲେ ପେଟ୍ରୋଲ କିମ୍ବା ଡିଜେଲଚାଳିତ ଯାନ କ୍ରୟ ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଜାରି କରାଯାଇଛି।ଏହି ନୂତନ ବ୍ୟବସ୍ଥା ସମସ୍ତ ସରକାରୀ ବିଭାଗ, ସରକାରୀ ଉଦ୍ୟୋଗ, ସ୍ୱୟଂଶାସିତ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ସମାଜିକ ସଂସ୍ଥା ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ। ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଇନ୍ଧନ ବ୍ୟୟ ହ୍ରାସ କରିବା ସହ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

