Sun. Feb 22nd, 2026

ନ୍ୟୁଜ ଡେକ୍ସ : ସାମ୍ବାଦିକମାନଙ୍କୁ ପେନସନ ପ୍ରଦାନ ପାଇଁ ଏକ ପ୍ରସ୍ତାବ ବର୍ତ୍ତମାନ ଓଡ଼ିଶା ସରକାରଙ୍କ ନିକଟରେ ବିଚାରାଧୀନ ରହିଛି। ଏହି ସୂଚନା ଗୁରୁବାର ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି।ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମ୍ବାଦିକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ନିମିତ୍ତେ ସରକାରଙ୍କୁ ବିଭିନ୍ନ ସାମ୍ବାଦିକ ସଂଗଠନ ଓ ସଂସ୍ଥାପକ ମହଳରୁ ଅନୁରୋଧ ଆସିଛି।

ସେହି ଅନୁରୋଧ ଓ ପ୍ରସ୍ତାବ ଉପରେ ସରକାର ଗୁରୁତ୍ୱ ସହ ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ସେହିପରି, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ୍ ଏବଂ ୱେବ୍ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ଅଧୀନରେ ସ୍ୱାସ୍ଥ୍ୟ ବୀମା କଭରେଜ୍ ପ୍ରଦାନ କରାଯାଉଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଏହି ଯୋଜନା ଅଧୀନରେ କାର୍ଯ୍ୟରତ ସାମ୍ବାଦିକମାନେ ଓ ସେମାନଙ୍କ ପରିବାର ତାଲିକାଭୁକ୍ତ ହସ୍ପିଟାଲଗୁଡ଼ିକରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦହୀନ ଚିକିତ୍ସା ସୁବିଧା ପାଇପାରୁଛନ୍ତି।ସାମ୍ବାଦିକମାନଙ୍କ ସୁରକ୍ଷା ଓ ସାମାଜିକ ସୁବିଧା ବୃଦ୍ଧି ଦିଗରେ ସରକାରଙ୍କ ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।

Leave a Reply

Your email address will not be published. Required fields are marked *