ନ୍ୟୁଜ ଡେକ୍ସ : ସ୍ପ୍ରେ ମାରି ସୁନା ଦୋକାନରୁ ଲୁଟ୍ କରିଥିବା ଘଟଣାରେ ତମାଣ୍ଡୋ ଥାନା ପୋଲିସ ଜଣେ ନାବାଳକକୁ ଗିରଫ କରିଛି। ଅଭିଯୁକ୍ତକୁ କଳିଙ୍ଗ ବିହାର ଅଞ୍ଚଳରୁ ଧରାଯାଇଥିବା ବେଳେ ତାଙ୍କର ବୟସ ୧୭ ବର୍ଷ ବୋଲି ପୋଲିସ ସୂଚନା ଦେଇଛି। ପୋଲିସ କହିଛି ଯେ ସେ ପେଷାଦାର ଅପରାଧୀ ନୁହେଁ ଏବଂ ପ୍ରଥମ ଥର ଏଭଳି ଅପରାଧ କରିଥିଲା।
ଏହି ଘଟଣା ମଙ୍ଗଳବାର ମଧ୍ୟାହ୍ନ ସମୟରେ ତମାଣ୍ଡୋ ଥାନା ଅନ୍ତର୍ଗତ କେ–୪ ଅଞ୍ଚଳର ଗୋଟିଏ ସୁନା ଦୋକାନରେ ଘଟିଥିଲା। ଗ୍ରାହକ ବେଶରେ ଧଳା ସ୍କୁଟିରେ ଆସି ଦୁର୍ବୃତ୍ତ ଦୋକାନ ଭିତରକୁ ପ୍ରବେଶ କରିଥିଲା। ପରେ ସ୍ପ୍ରେ ମାରି ପାଖାପାଖି ୬ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ଫିଲ୍ମି ଷ୍ଟାଇଲରେ ଫେରାର ହୋଇଯାଇଥିଲା। ସମଗ୍ର ଘଟଣାଟି ସିସିଟିଭି କ୍ୟାମେରାରେ ଧରାପଡ଼ିଥିଲା।
ଘଟଣା ସୂଚନା ମିଳିବା ପରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିଥିଲା। ଅଭିଯୁକ୍ତ ଠାରୁ ଲୁଟ ହୋଇଥିବା ସମସ୍ତ ସୁନା ଗହଣା, ଲୁଟରେ ବ୍ୟବହୃତ ସ୍ପ୍ରେ ଓ ସ୍କୁଟି ମଧ୍ୟ ଜବତ କରାଯାଇଛି।ପୋଲିସ ମାମଲାର ଅଧିକ ତଦନ୍ତ କରୁଛି ଏବଂ ଅଭିଯୁକ୍ତ ସହ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

