ନ୍ୟୁଜ ଡେକ୍ସ : ବହୁଚର୍ଚ୍ଚିତ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ମୋଡ଼ ଆସିଛି। ଏହି ମାମଲାରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଉଭୟଙ୍କ ଦ୍ୱାରା ଦାୟର କରାଯାଇଥିବା ଆଗୁଆ ଜାମିନ୍ ଆବେଦନର ଶୁଣାଣି କରି କୋର୍ଟ ଏହି ଆଦେଶ ଦେଇଛନ୍ତି।ଶୁଣାଣି ସମୟରେ ହାଇକୋର୍ଟ ପକ୍ଷରୁ ମାମଲା ସମ୍ପର୍କିତ କେସ୍ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ସହିତ ମୃତ ହ୍ୟୁମାନ ସାଗରଙ୍କ ମାଆ ସେଫାଳି ସୁନାଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖରେ ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି।ଗତ ୨୧ ତାରିଖରେ ହ୍ୟୁମାନ ସାଗରଙ୍କ ମାଆ ସେଫାଳି ସୁନା ମର୍କତନଗର ଥାନାରେ ପୁଅର ମୃତ୍ୟୁକୁ ନେଇ ଗୁରୁତର ଅଭିଯୋଗ କରି ଏତଲା ଦାୟର କରିଥିଲେ। ଏତଲାରେ ସେ ସୋମେଶ ଶତପଥୀଙ୍କ ସମେତ ମୋଟ ୯ ଜଣଙ୍କୁ ଅଭିଯୁକ୍ତ ଭାବେ ଉଲ୍ଲେଖ କରିଥିଲେ। ପୁଅର ମୃତ୍ୟୁ ସାଧାରଣ ଘଟଣା ନୁହେଁ ବୋଲି ଦାବି କରି ସେ ଏହା ପଛରେ ଗଭୀର ଷଡଯନ୍ତ୍ର ଥିବା ଆଶଙ୍କା ପ୍ରକାଶ କରିଥିଲେ। ଏତଲାରେ ସେଫାଳି ସୁନା ହ୍ୟୁମାନଙ୍କ ମୃତ୍ୟୁ ପଛରେ ବିଭିନ୍ନ ସନ୍ଦିଗ୍ଧ କାରଣ ଥିବା ଉଲ୍ଲେଖ କରିଛନ୍ତି।
ସମ୍ଭବତଃ ବିଷ ପ୍ରୟୋଗ, ଶାରୀରିକ ଆଘାତ, ଦୀର୍ଘ ସମୟ ଧରି ମାନସିକ ନିର୍ଯାତନା, ଧମକ ଓ ଚାପ ପ୍ରୟୋଗ କରାଯାଇଥିବା ସହ ଆର୍ଥିକ ଲାଭ ହାସଲ କରିବାର ଉଦ୍ଦେଶ୍ୟ ମଧ୍ୟ ରହିଥିବା ଆଶଙ୍କା ସେ ବ୍ୟକ୍ତ କରିଛନ୍ତି। ଏହି ସମସ୍ତ ପ୍ରସଙ୍ଗକୁ ଗମ୍ଭୀରତାର ସହ ତଦନ୍ତ କରିବାକୁ ସେ ପୋଲିସକୁ ଅନୁରୋଧ କରିଥିଲେ।ଯେଉଁ ବ୍ୟକ୍ତିମାନଙ୍କ ନାଁରେ ଏତଲା ହୋଇଛି, ସେମାନଙ୍କ ସମ୍ପର୍କରେ ସମାନ ତଥ୍ୟ ସଂଗ୍ରହ କରି ନିର୍ପେକ୍ଷ ତଦନ୍ତ କରିବା ପାଇଁ ମଧ୍ୟ ହ୍ୟୁମାନଙ୍କ ମାଆ ଦାବି କରିଥିଲେ।
ଏହି ପରିପ୍ରେକ୍ଷିତରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଉଦ୍ଦେଶ୍ୟରେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ। ମାମଲାର ପ୍ରାଥମିକ ପର୍ଯ୍ୟାୟ ଓ ତଦନ୍ତ ଚାଲିଥିବାକୁ ଦୃଷ୍ଟିରେ ରଖି, ହାଇକୋର୍ଟ ଉଭୟଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି।ଏହି ମାମଲାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଆଲୋଚନା ଓ ଉତ୍ସୁକତା ସୃଷ୍ଟି ହୋଇଥିବା ବେଳେ, ଆଗାମୀ ଶୁଣାଣି ଓ ପୋଲିସ ତଦନ୍ତ ପରେ ଘଟଣାର ସଠିକ୍ ସତ୍ୟ ଉଦ୍ଘାଟିତ ହେବ ବୋଲି ଆଶା କରାଯାଉଛି।

