ନ୍ୟୁଜ ଡେକ୍ସ : ୧ କୋଟି ୨୫ ଲକ୍ଷ ଟଙ୍କାରୁ ଅଧିକ ସାଇବର ଠକେଇ ଅଭିଯୋଗରେ ଆନନ୍ଦପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ରାଜ୍ୟ ସରକାରଙ୍କ ‘ସାଇବର କବଚ’ ଅପରେସନ୍କୁ ଜୋରଦାର କରାଯାଉଥିବା ବେଳେ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଆତିଶ କୁମାର ପଣ୍ଡା (୨୫)। ତାଙ୍କ ଘର ଆନନ୍ଦପୁର ପୋଲିସ ନନ୍ଦିପଦା ଥାନା ଅନ୍ତର୍ଗତ ଜାମିତିରା ଗାଁରେ ବୋଲି ପୋଲିସ ସୂଚନା ଦେଇଛି।
ସାଇବର କବଚ ଅପରେସନ୍ ସମୟରେ କେନ୍ଦୁଝର ଜିଲ୍ଲାରୁ ଏକ କୋଟି ଟଙ୍କାରୁ ଅଧିକ ସାଇବର ଠକେଇ ଟଙ୍କା ଜବତ କରାଯାଇଛି। ଆତିଶଙ୍କ ଠାରୁ ୧୧ଟି ଜମାଖାତା, ୧୧ଟି ଏଟିଏମ୍ କାର୍ଡ, ୨ଟି ସିମ୍ କାର୍ଡ, ୫ଟି ଆଧାର କାର୍ଡ, ଗୋଟିଏ ମୋବାଇଲ ଫୋନ୍ ଏବଂ ଗୋଟିଏ ପ୍ୟାନ୍ କାର୍ଡ ଜବତ ହୋଇଛି।ପୋଲିସ ତଦନ୍ତ ଅନୁଯାୟୀ, ଆତିଶ ଗତ ୨୦୨୪ ନଭେମ୍ବର ୨୭ ତାରିଖରେ ଆନନ୍ଦପୁର କାନାଡ଼ା ବ୍ୟାଙ୍କରେ ଏକ କରେଣ୍ଟ ଆକାଉଣ୍ଟ ଖୋଲିଥିଲେ। ପରେ ୨୦୨୪ ଡିସେମ୍ବର ୧୬ ତାରିଖରେ ସେହି ଖାତାକୁ ବନ୍ଦ କରିଦେଇଥିଲେ।
ମାତ୍ର ୧୯ ଦିନ ମଧ୍ୟରେ ଏହି ଖାତାରେ ୧ କୋଟି ୨୫ ଲକ୍ଷ ଟଙ୍କା ଜମା ହୋଇଥିବା ବେଳେ, ଆତିଶ ସମସ୍ତ ଟଙ୍କା ଉଠାଇ ଖାତା ବନ୍ଦ କରିଦେଇଥିବା ପୋଲିସ କହିଛି। ବିଭିନ୍ନ ସାଇବର ଠକେଇ ଚକ୍ରରୁ ଏହି ଖାତାକୁ ଟଙ୍କା ଆସୁଥିବା ସୂଚନା ମିଳିଛି। ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ପୋଲିସ ଏହାର ଆଗୁଆ ତଦନ୍ତ ଜାରି ରଖିଛି।

