Sat. Feb 21st, 2026

ନ୍ୟୁଜ ଡେକ୍ସ : କଳିଙ୍ଗ ଷ୍ଟାଡିୟମ ପରିସରସ୍ଥ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ) ରେ ଆୟୋଜିତ ୩୭ତମ ଜାତୀୟ ସବ୍‌ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍ ଶାନଦାର ଭାବେ ଉଦ୍‌ଯାପିତ ହୋଇଛି। ଚୂଡାନ୍ତ ଦିବସର ଫାଇନାଲ୍ ମୁକାବିଲାରେ ଓଡ଼ିଆ କନ୍ୟା ତନଭି ପତ୍ରି ଅପୂର୍ବ ସଫଳତା ହାସଲ କରି ୧୫ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ – ଉଭୟ ବର୍ଗରେ ଚାମ୍ପିୟନ ହୋଇ ଦ୍ବିମୁକୁଟ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି।

୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଫାଇନାଲ୍‌ରେ ତନଭି ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ 21–9 ଓ 21–13 ପଏଣ୍ଟରେ ସିଧାସଳଖ ଦୁଇଟି ଗେମ୍‌ରେ ପରାଜିତ କରି ଚାମ୍ପିୟନ ହୋଇଥିଲେ। ସେହିପରି ୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଫାଇନାଲ୍‌ରେ ତନଭି ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ତାମିଲନାଡୁର ଦୀକ୍ଷା ଏସ୍‌.ଆର୍‌ଙ୍କୁ 20–21, 21–17 ଓ 22–20 ପଏଣ୍ଟରେ ହରାଇ ଚାମ୍ପିୟନ ମୁକୁଟ ପିନ୍ଧିଥିଲେ।ବାଳକ ୧୫ ବର୍ଷରୁ କମ୍ ବିଭାଗର ଫାଇନାଲ୍‌ରେ କର୍ଣ୍ଣାଟକର ପୁଷ୍କର ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ 21–17 ଓ 21–12 ପଏଣ୍ଟରେ ପରାଜିତ କରି ଚାମ୍ପିୟନ ହୋଇଛନ୍ତି।୧୫ ବର୍ଷରୁ କମ୍ ବାଳିକା ଡବଲ୍ସ ଫାଇନାଲ୍‌ରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଓ ସୋୟାରା ସେଲାରଙ୍କଠାରୁ 15–21 ଓ 14–21 ପଏଣ୍ଟରେ ପରାଜିତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।

୧୭ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ ବର୍ଗରେ ଟପ୍‌ସିଡ଼ ଜଗସେର ସିଂ ଖାଙ୍ଗୁରା ନିଜ ରାଜ୍ୟର ବିରାଜ ଶର୍ମାଙ୍କୁ 21–12 ଓ 21–13 ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି।୧୫ ବର୍ଷରୁ କମ୍ ବାଳକ ଡବଲ୍ସ ଫାଇନାଲ୍‌ରେ ପଶ୍ଚିମବଙ୍ଗ–ଉତ୍ତରାଖଣ୍ଡ ଯୋଡି ସ୍ୱୟଂମଦ୍ୟୁତି ଘୋଷ ଓ ସୌର୍ୟ ସିଂ ରଣା ହରିୟାଣା–ଦିଲ୍ଲୀ ଯୋଡି ଜୟବର୍ଦ୍ଧନ ହୂଡା ଓ ହର୍ଷିତ ଖତ୍ରୀଙ୍କୁ 21–18, 19–21 ଓ 21–14 ପଏଣ୍ଟରେ ପରାଜିତ କରି ଚାମ୍ପିୟନ ହୋଇଛନ୍ତି।ଏହି ଚମ୍ପିୟାନସିପ୍‌ରେ ସାରାଦେଶର ଉଦୟମାନ ବ୍ୟାଡ଼ମିଣ୍ଟନ ଖେଳାଳୀମାନେ ଅଂଶଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିବାବେଳେ, ଓଡ଼ିଆ ଝିଅ ତନଭି ପତ୍ରିଙ୍କ ଦ୍ବିମୁକୁଟ ବିଜୟ ସମସ୍ତଙ୍କ ଆକର୍ଷଣ ଓ ପ୍ରଶଂସା ଲାଭ କରିଛି।

Leave a Reply

Your email address will not be published. Required fields are marked *