ନ୍ୟୁଜ ଡେକ୍ସ: ରବିବାର ଦେଶ ପାଳନ କରୁଛି ୭୬ ତମ ଗଣତନ୍ତ୍ର ଦିବସ। ଏହି ଦିନକୁ ନେଇ ସବୁଠି ଆନନ୍ଦ, ଉତ୍ସାହ ଓ ଉଲ୍ଲାସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଭାରତ ତାର ଶକ୍ତି ପ୍ରଦର୍ଶନ କରିବ । ଏହି ସମାରୋହରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋବୋ ସୁବିଆଣ୍ଟୋ ମୁଖ୍ୟ ଆତିଥି ଭାବେ ଯୋଗ ହେବେ । ପୂର୍ବାହ୍ନ ୧୦ଟା ୩୦ରେ ପରେଡ ଆରମ୍ଭ ହେବ।
ସବୁଠି ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ଜାତୀୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ସଜେଇ ହୋଇଛି ଦିଲ୍ଲୀର କର୍ତ୍ତବ୍ୟ ପଥ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମାରୋହରେ ସାମିଲ ହୋଇ ଜାତୀୟ ପତାକା ଉତ୍ତୋଳନ କରିବେ । ସେହିପରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ସାମିଲ ହୋଇଛନ୍ତି । ପତାକା ଉତ୍ତୋଳନ ପରେ ଗୋଟିଏ ପରେ ଗୋଟିଏ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ । ପରେ ପରେଡ ପ୍ରଦର୍ଶିତ ହେବ । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
୭୦ରୁ ଅଧିକ କମ୍ପାନି ଅର୍ଦ୍ଧସାମରିକବଳ ଏବଂ ୧୫ ହଜାର ପୋଲିସକର୍ମୀ ରାଜଧାନୀକୁ ଜଗିବେ । ସେପଟେ ସାଧାରଣତନ୍ତ୍ର ଦିବସର ଅବ୍ୟବିହତ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଭାରତ ସାରା ବିଶ୍ବର ନେତୃତ୍ବ କରୁଛି । ସମ୍ବିଧାନ ଆମକୁ ସାମୁହିକ ପରିଚୟ ଦେଉଛି । ଏହା ଆମକୁ ଗୋଟିଏ ପରିବାରରେ ବାନ୍ଧି ରଖୁଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
