ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନଶ୍ୱରର ଆଜି ପ୍ରତିଷ୍ଠା ଦିବସ । ୭୭ ବର୍ଷରେ ପାଦ ଥାପିଛି ଆମ ରାଜଧାନୀ । ସେବେରୁ ଏବେ ଭୁବନେଶ୍ୱରରେ ଆକାଶ ପାତାଳ ଫରକ । ୧୯୪୮ରୁ ୨୦୨୫ର ଲମ୍ବା ଯାତ୍ରାରେ ସହର ଆଗକୁ ବଢିଛି । ସଫଳତା ସାଉଁଟିଛି । ବିଶ୍ୱ ଦରବାରରେ ପରିଚୟ ହାସଲ କରିଛି । ମନ୍ଦିର ମାଳିନୀ ନାମ ଯାହାର ପ୍ରଭୁ ଲିଙ୍ଗରାଜ ।
ସମୟ ସହିତ ତାଳ ଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ନମ୍ବର ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି । ସହରର ଆକାର ବଢିବା ସହ ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ପୂର୍ବରୁ ଏହାର ଜନସଂଖ୍ୟା ୧୫ ହଜାର ଥିବାବେଳେ ଏବେ ଏହା ୧୫ ଲକ୍ଷରେ ପହଞ୍ଚିଛି ।ତେବେ ଆଜି ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ସମଗ୍ର ରାଜଧାନୀ । ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ ।
୧୯୪୮ ମସିହା ଆଜିର ଦିନରେ ଭୁବନେଶ୍ୱରକୁ ରାଜଧାନୀର ମାନ୍ୟତା ମିଳିଥିଲା । ଦେଶର ପ୍ରଥମ ପ୍ରାଧନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଓଡ଼ିଶାର ନୂଆ ରାଜଧାନୀର ଶିଳାନ୍ୟାସ କରିଥିଲେ । ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ ପ୍ରଥମେ ନକ୍ସା ତିଆରି ହୋଇଥିଲା । ଏବେ ସମୟ ସହ ତାଳ ଦେଇ ଆଗକୁ ବଢୁଛି ଭୁବନେଶ୍ୱର । ଅନେକ ବାଧାବିଘ୍ନ ସହି ରାଜଧାନୀ ଆଜି ସମୃଦ୍ଧ ହୋଇଛି । ସ୍ୱପ୍ନର ସହର ପାଲଟିଛି ।
