ନ୍ୟୁଜ ଡେକ୍ସ : ରାଜ୍ୟକୁ ଅଧିକ ପୁଞ୍ଜି ଓ ଶିଳ୍ପ ଆକର୍ଷଣ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ଗୁରୁବାର କୋଲକାତା ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ୧୮ ତାରିଖ ପର୍ଯ୍ୟନ୍ତ ସେଠାରେ ରହିବେ।ଶୁକ୍ରବାର ଓ ଶନିବାର କୋଲକାତାର ‘ସୋନାର ବାଂଲା’ରେ ଦୁଇ ଦିନିଆ ନିବେଶକ ସମ୍ମିଳନୀ ଆୟୋଜିତ ହେଉଛି।
ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ପ୍ରମୁଖ ଶିଳ୍ପପତି ଓ ନିବେଶକଙ୍କ ସହ ୱାନ୍-ଟୁ-ୱାନ୍ ବୈଠକ କରିବେ। ଦୁଇ ଦିନ ମଧ୍ୟରେ ୩ଟି ବ୍ୟକ୍ତିଗତ ବୈଠକ ହେବାକୁ ଥିବା ବେଳେ, ସମ୍ମିଳନୀରେ ଉପସ୍ଥିତ ସମସ୍ତ ପୁଞ୍ଜିପତି ଓ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବେ।ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଶିଳ୍ପ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ସଚିବ ହେମନ୍ତ ଶର୍ମା ସହ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ।
ହାଇଦ୍ରାବାଦ ପରେ କୋଲକାତାରେ ଏହା ସରକାରଙ୍କ ଦ୍ୱିତୀୟ ନିବେଶକ ସମ୍ମିଳନୀ। ଗତ ଡିସେମ୍ବର ୧୯ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ସମ୍ମିଳନୀରୁ ପ୍ରାୟ ୬୭ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିଲା। କୋଲକାତା ସମ୍ମିଳନୀରୁ ମଧ୍ୟ ଓଡ଼ିଶା ପାଇଁ ଆହୁରି ବଡ଼ ମାପର ନିବେଶ ଆସିବ ବୋଲି ଆଶା କରାଯାଉଛି।

