ନ୍ୟୁଜ ଡେକ୍ସ : ବିମାନ ନିରାପତ୍ତା ଓ ସ୍ୱଚ୍ଛ ପରିବେଶ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ (ବିଏମ୍ସି) ଆମିଷ ଦୋକାନୀଙ୍କ ଉପରେ କଡ଼ା କଟକଣା ଲଗାଇଛି। ଆମିଷ ବର୍ଜ୍ୟକୁ ଏଣେତେଣେ ଫିଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆବଶ୍ୟକ ପଡ଼ିଲେ ଦୋକାନ ଲାଇସେନ୍ସ ମଧ୍ୟ ରଦ୍ଦ କରାଯିବ ବୋଲି ବିଏମ୍ସି ସଚେତନ କରିଛି।ଏନେଇ ବିଏମ୍ସି ପକ୍ଷରୁ ସର୍ବସାଧାରଣ ନୋଟିସ୍ ଜାରି କରାଯାଇଛି।
ନୋଟିସ୍ରେ କୁହାଯାଇଛି ଯେ, ଫେବୃଆରୀ ୧ ଠାରୁ ଏହି ନିୟମାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରାଯିବ। ଆମିଷ ବର୍ଜ୍ୟ କେମିତି ରଖାଯିବ ଓ କେଉଁ ଉପାୟରେ ବିଏମ୍ସି ଗାଡ଼ିକୁ ହସ୍ତାନ୍ତର କରାଯିବ, ସେଥିପାଇଁ ସ୍ପଷ୍ଟ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।ବିଏମ୍ସି କହିଛି, ଅନେକ ସ୍ଥାନରେ ମାଛ, ମାଂସ, କୁକୁଡ଼ା ଓ ଅଣ୍ଡା ବିକ୍ରି ପରେ ଆମିଷ ବର୍ଜ୍ୟକୁ ଖୋଲା ସ୍ଥାନରେ ଫିଙ୍ଗାଯାଉଛି। ଏହା ଦୁର୍ଗନ୍ଧ ସୃଷ୍ଟି କରିବା ସହ ପକ୍ଷୀମାନଙ୍କୁ ଆକର୍ଷିତ କରୁଛି। ପକ୍ଷୀମାନେ ଆକାଶମାର୍ଗରେ ଉଡ଼ି ବିମାନ ସହ ଧକ୍କା ଖାଇବାର ଆଶଙ୍କା ବଢ଼ାଉଥିବାରୁ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବିମାନ ଚଳାଚଳ ବିଘ୍ନିତ ହେଉଛି।
କଠିନ ବର୍ଜ୍ୟ ପରିଚାଳନା ନିୟମ-୨୦୧୬, ଖାଦ୍ୟ ନିରାପତ୍ତା ଆଇନ-୨୦୦୬, ବିଏମ୍ସି ମ୍ୟୁନିସିପାଲ ବାଇ-ଲ ସହିତ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଓ ଭାରତୀୟ ବିମାନ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଭଳି ବର୍ଜ୍ୟ ବ୍ୟବସ୍ଥାପନ ଉପରେ ପୂର୍ବରୁ ମଧ୍ୟ କଡ଼ା ନିୟମ ରହିଛି।ଏହି ପରିପ୍ରେକ୍ଷିତରେ ଭୁବନେଶ୍ୱର ବିମାନବନ୍ଦରରେ ନିର୍ବିଘ୍ନ ବିମାନ ଚଳାଚଳ ସୁନିଶ୍ଚିତ କରିବାକୁ ବିମାନ ପରିବେଶ ପରିଚାଳନା କମିଟି ବୈଠକରେ ଆମିଷ ବର୍ଜ୍ୟ ପରିଚାଳନା ନିୟମକୁ କଡ଼ାକଡ଼ି କରିବା ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍ସି ଅଞ୍ଚଳରେ ଥିବା ସମସ୍ତ ଆମିଷ ଦୋକାନୀଙ୍କୁ ନିୟମ ମାନିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

