ନ୍ୟୁଜ ଡେକ୍ସ : ଆସନ୍ତା ୧୮ ତାରିଖରୁ ଚିଲିକା ହ୍ରଦରେ ବୃହତ୍ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହେବ। ବନ୍ୟପ୍ରାଣୀ ବିଭାଗ ଅଧୀନରେ ଥିବା ଚିଲିକା, ସାତପଡ଼ା, ରମ୍ଭା, ବାଲୁଗାଁ ଓ ଟାଙ୍ଗୀ—ଏହି ୫ଟି ରେଞ୍ଜ୍ରେ ସମନ୍ୱିତ ଭାବେ ଗଣନା କରାଯିବ। ଏହି କାର୍ଯ୍ୟ ପାଇଁ ମୋଟ ୨୨ଟି ଟିମ୍ ନିୟୋଜିତ ହେବେ।
ଗଣନା କାର୍ଯ୍ୟରେ ବନ ବିଭାଗ କର୍ମଚାରୀ, ପକ୍ଷୀ ସୁରକ୍ଷା ବାହିନୀ, ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା, ଓୟୁଏଟିର କର୍ମଚାରୀ ଓ ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ ସହ ସିଡିଏର କର୍ମଚାରୀମାନେ ସାମିଲ ହେବେ। ଗଣନା ସମୟରେ ବାଇନା କୁଲାର, ବାର୍ଡସ୍ ଗାଇଡ୍ ବୁକ୍, କ୍ୟାମେରା ଓ ଜିପିଏସ୍ ଟ୍ରାକର ଭଳି ଆଧୁନିକ ସାଧନ ବ୍ୟବହାର କରାଯିବ।ଏହା ସହ ଚିଲିକା ହ୍ରଦରେ ତିନି ଦିନ ଧରି ଡଲଫିନ୍ ଗଣନା ମଧ୍ୟ କରାଯିବ।
ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ବାଲୁଗାଁ ଓ ସାତପଡ଼ା ଅଞ୍ଚଳରେ ଡଲଫିନ୍ ଗଣନା ହେବ। ଏଥିପାଇଁ ୧୮ଟି ଟିମ୍ରେ ମୋଟ ୯୦ଜଣ କର୍ମୀ ନିଯୁକ୍ତ ହେବେ।ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଓ ଚିଲିକା ଉନ୍ନୟନ କର୍ତୃପକ୍ଷର ମିଳିତ ସହଯୋଗରେ ଏହି ସମଗ୍ର ଗଣନା କାର୍ଯ୍ୟ ସଫଳ କରାଯିବ। ଗଣନା ସମୟରେ ସୁରକ୍ଷା ଓ ସଠିକ୍ ତଥ୍ୟ ସଂଗ୍ରହ ପାଇଁ ପର୍ଯ୍ୟଟକ ଓ ମସ୍ୟଜୀବିମାନଙ୍କୁ ଚିଲିକା ମଧ୍ୟକୁ ପ୍ରବେଶ କରିବାକୁ ଅସ୍ଥାୟୀ ଭାବେ ବାରଣ କରାଯାଇଛି।

