ନ୍ୟୁଜ ଡେକ୍ସ : ସେଣ୍ଟ୍ରାଲ ଓଡ଼ିଶାରେ ସ୍ମାର୍ଟ ମିଟରକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଥିବା ସନ୍ଦେହ ଓ ଭ୍ରାନ୍ତି ଦୂର କରିବାକୁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ପୁନର୍ବାର ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀ କହିଛି ଯେ ସ୍ମାର୍ଟ ମିଟର ପାରମ୍ପରିକ ମିଟର ଭଳି ଏକେଇ ମାପନ ପ୍ରଣାଳୀରେ କାର୍ଯ୍ୟ କରେ ଏବଂ ବିଦ୍ୟୁତ ବ୍ୟବହାରକୁ ନ ବଢ଼ାଏ, ନ କମାଏ।
ଉପଭୋକ୍ତାମାନେ ନିଜେ ସଠିକତା ପରଖିପାରିବେ ବୋଲି ଟିପିସିଓଡିଏଲ ପକ୍ଷରୁ ୨୦ଟି ଗ୍ରାହକ ସେବା କେନ୍ଦ୍ରରେ ସ୍ମାର୍ଟ ମିଟର ଓ ପାରମ୍ପରିକ ମିଟରର ‘ଲାଇଭ୍ ଡିସପ୍ଲେ’ ବ୍ୟବସ୍ଥା କରାଯାଇଛି। ଏଠାରେ ସାଧାରଣ ଲୋକେ ଦୁଇଟି ମିଟରକୁ ପାଖାପାଖି ଦେଖି ବିଦ୍ୟୁତ ବ୍ୟବହାର ମାପନର ତୁଳନା କରିପାରିବେ। କମ୍ପାନୀ ସ୍ପଷ୍ଟ କରିଛି ଯେ ସ୍ମାର୍ଟ ମିଟରରେ ବିଲ୍ ପ୍ରସ୍ତୁତି ପ୍ରକ୍ରିୟା ସ୍ୱୟଂଚାଳିତ ଯାଞ୍ଚ ଓ ବୈଧକରଣ ପରେ ପ୍ରକୃତ ବ୍ୟବହାର ଆଧାରରେ ହୁଏ। ଏହାରେ କୌଣସି ମାନବୀୟ ହସ୍ତକ୍ଷେପ ନଥାଏ, ଯାହା ସ୍ୱଚ୍ଛତାକୁ ଆହୁରି ମଜବୁତ କରେ।ଟିପିସିଓଡିଏଲ ଜଣାଇଛି ଯେ, ପ୍ରତ୍ୟେକ ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ଘରେ ସ୍ଥାପନ ପୂର୍ବରୁ ପାଞ୍ଚ ସ୍ତରୀୟ ବାଧ୍ୟତାମୂଳକ ପରୀକ୍ଷା ପ୍ରକ୍ରିୟା ଦେଇ ଯାଏ।
ଏହାରେ ସଠିକତା, ନୋ-ଲୋଡ୍, ମିଟର କନଷ୍ଟାଣ୍ଟ, ଡିସପ୍ଲେ ଓ କମ୍ୟୁନିକେସନ ଟେଷ୍ଟ ସାମିଲ ରହିଛି। ଏହି ପରୀକ୍ଷଣଗୁଡ଼ିକ ଏନଏବିଏଲ ସ୍ୱୀକୃତିପ୍ରାପ୍ତ ଲ୍ୟାବରେଟରୀରେ କରାଯାଏ। ସାଧାରଣ ଉପଭୋକ୍ତା, ଆବାସିକ କଲ୍ୟାଣ ସଂଘ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଗ୍ରାହକ ସେବା କେନ୍ଦ୍ର ପରିଦର୍ଶନ କରି ସ୍ମାର୍ଟ ମିଟରର କାର୍ଯ୍ୟପ୍ରଣାଳୀ ବୁଝିବାକୁ ଟିପିସିଓଡିଏଲ ଆମନ୍ତ୍ରଣ ଜଣାଇଛି। ଆଗାମୀ ଦିନରେ ମଧ୍ୟ ଗୋଷ୍ଠୀ ସଚେତନତା ଓ ଜନସମ୍ପର୍କ ଅଭିଯାନ ଜାରି ରହିବ ବୋଲି କମ୍ପାନୀ ସୂଚନା ଦେଇଛି।

