Sun. Feb 22nd, 2026

ନ୍ୟୁଜ ଡେକ୍ସ : ସୁନ୍ଦରଗଡ଼ ସହରରେ ଉତ୍ତେଜନା କମିବା ପରେ ପ୍ରଶାସନ ପକ୍ଷରୁ BNSS ୧୬୩ ଧାରା ପ୍ରତ୍ୟାହାର କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶାନ୍ତି କମିଟି ବୈଠକ ପରେ ଏହି ସିଦ୍ଧାନ୍ତ ନିଆଯାଇଛି। ସହରରେ ଶାନ୍ତି ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ ବଜାୟ ରଖିବାକୁ ଇଣ୍ଟରନେଟ୍ ସେବାକୁ ପୁନଃ ସ୍ୱାଭାବିକ କରିବା ସହ ଏକ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଗତକାଲି ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହଁମୁହଁ ହେବା ସହ ସଂଘର୍ଷ ସୃଷ୍ଟି ହୋଇଥିଲା। ଖବର ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା ସମୟରେ ଉଭୟ ପକ୍ଷ ପଥର ମାଡ଼ କରିଥିଲେ, ଯାହାରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ।ପରିସ୍ଥିତି ଅଧିକ ଜଟିଳ ହେବାରୁ ପୁଲିସ ପକ୍ଷରୁ ଅତିରିକ୍ତ ଫୋର୍ସ ମୋତାୟେନ କରାଯାଇଥିଲା। ତଥାପି ଅପରାହ୍ନ ସାଢ଼େ ୨ଟା ସମୟରେ ପୁଣିଥରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ଼ ହୋଇଥିଲା। ଏହା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ BNSS ୧୬୩ ଲାଗୁ କରାଯାଇଥିଲା ଏବଂ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଥିଲା।

ସୁରକ୍ଷା ଦୃଷ୍ଟିରୁ ଶୁକ୍ରବାର ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା ହୋଇଥିଲା। ଏହି ଘଟଣା ପରେ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶାନ୍ତି କମିଟି ବୈଠକରେ ପଶ୍ଚିମାଞ୍ଚଳ ଡିଆଇଜି, ଏସ୍‌ପି ଓ ଉଭୟ ପକ୍ଷର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବୈଠକରେ ସହରରେ ଶାନ୍ତି, ସଂଯମ ଓ ଭାଇଚାରା ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *