ନ୍ୟୁଜ ଡେକ୍ସ : ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିର ପରିଚାଳନାକୁ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ସଫଳତାର ସହ ଅନୁଷ୍ଠିତ ହେବା ପରେ, ଦୀର୍ଘଦିନ ଧରି ଆଲୋଚିତ ରତ୍ନ ଭଣ୍ଡାର ଗଣତି–ମଣତିକୁ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।ବୈଠକ ପରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ, ରତ୍ନ ଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତି–ମଣତି ପାଇଁ ଏକ ଚିଠା ମାର୍ଗଦର୍ଶିକା (SOP) କମିଟିରେ ଅନୁମୋଦିତ ହୋଇଛି।
ଏହି SOP ମୋଟ ୧୧ ପୃଷ୍ଠାର ଥିବାବେଳେ, ଏହାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସରକାରୀ ସମ୍ମତି ମିଳିବା ପରେ ଗଣତି–ମଣତିର ଦିନ, ବେଳା ଓ ସମୟ ସମ୍ପର୍କରେ ଆଧିକାରିକ ଘୋଷଣା କରାଯିବ।ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିଛନ୍ତି ଯେ, ଗଣତି–ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କୌଣସି ପ୍ରକାରେ ବିଘ୍ନିତ ହେବ ନାହିଁ। ଶୁଭ ଦିନ ଓ ଶୁଭ ଲଗ୍ନ ଦେଖି ସମଗ୍ର ପ୍ରକ୍ରିୟା କରାଯିବ। ଏହା ସହ ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରର ଡିଜିଟାଇଜେସନ କରାଯିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ଯାହା ଭବିଷ୍ୟତରେ ସଂରକ୍ଷଣ ଓ ପାରଦର୍ଶିତାକୁ ସୁନିଶ୍ଚିତ କରିବ। ଏହି ବୈଠକରେ ମହାପ୍ରଭୁଙ୍କ ନୂଆ ରତ୍ନ ପଲଙ୍କକୁ ନେଇ ମଧ୍ୟ ଏକ ବଡ଼ ସୂଚନା ମିଳିଛି।
ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ମହାପ୍ରଭୁଙ୍କ ପାଇଁ ନୂଆ ରତ୍ନ ପଲଙ୍କର ସମସ୍ତ କାମ ସମ୍ପୂର୍ଣ୍ଣ ହୋଇସାରିଛି। ଏବେ କେବଳ ଶୁଭ ଲଗ୍ନ ଦେଖି ମହାପ୍ରଭୁଙ୍କୁ ଏହି ନୂଆ ରତ୍ନ ପଲଙ୍କ ଲାଗି କରାଯିବ।ସମଗ୍ର ଘଟଣାକୁ ନେଇ ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଉତ୍ସୁକତା ଦେଖାଦେଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରତ୍ନ ଭଣ୍ଡାର ଗଣତି–ମଣତି କେବେ ଓ କିପରି ହେବ, ସେଥିପାଇଁ ସମସ୍ତଙ୍କ ନଜର ଏବେ ସରକାରୀ ଘୋଷଣା ଉପରେ ରହିଛି।

