Sun. Feb 22nd, 2026

ନ୍ୟୁଜ ଡେକ୍ସ : ମହିଳା ସଶକ୍ତିକରଣ ଓ ଗାଁସ୍ତରରେ ନ୍ୟାୟ ପ୍ରଣାଳୀକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୧୦ଟି ଜିଲ୍ଲାରେ ‘ନାରୀ ଅଦାଲତ’ର ଶୁଭାରମ୍ଭ ହୋଇଛି। ଏହାର ଉଦ୍ଘାଟନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କରିଥିବାବେଳେ, ଏହି ଅବସରରେ ମହିଳା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି।ଆଜିଠାରୁ ଆଗାମୀ ୭ ଦିନ ଧରି ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ନାରୀ ଅଦାଲତ କାର୍ଯ୍ୟକ୍ରମ ଚାଲିବ।

ଏହା ମାଧ୍ୟମରେ ଗାଁସ୍ତରରେ ମେଡିଏସନ୍ ସେଣ୍ଟର ସୃଷ୍ଟି କରାଯାଇ, ସ୍ଥାନୀୟ ସମସ୍ୟା ଓ ବିବାଦର ସହଜ ଓ ସମ୍ମତିମୂଳକ ସମାଧାନ କରାଯିବ। ଗାଁରେ ନ୍ୟାୟାଳୟ ଚାଲିବ ଓ ସେଥିର ସମସ୍ତ ପରିଚାଳନା ମହିଳାମାନେ ନିଜେ କରିବେ।ପ୍ରତ୍ୟେକ ନାରୀ ଅଦାଲତରେ ୭ରୁ ୮ଜଣ ‘ସଖି’ ଭାବରେ କାର୍ଯ୍ୟ କରିବେ, ଯେଉଁମାନେ ‘ନ୍ୟାୟ ଶକ୍ତି’ ଭାବେ ମାନ୍ୟତା ପାଇବେ। କେଉଁ ପ୍ରକାର ମାମଲାର ସମାଧାନ କେମିତି ହେବ, ସେଥିପାଇଁ ସଖିମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯିବ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ମହିଳା ଓ ଶିଶୁଙ୍କ ସୁରକ୍ଷା, ନ୍ୟାୟ ଓ ସମଗ୍ର ବିକାଶ ଦିଗରେ ଏହା ଓଡ଼ିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ। ଏହି ଅବସରରେ ‘ବେଟି ବଚାଓ ବେଟି ପଢ଼ାଓ’ ଅଭିଯାନ ଅନ୍ତର୍ଗତ ଶିଶୁ କନ୍ୟା ସପ୍ତାହ ପାଳନର ମଧ୍ୟ ଶୁଭାରମ୍ଭ କରାଯାଇଛି। କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହିଥିବାବେଳେ, ୧୦ଟି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *