ନ୍ୟୁଜ ଡେକ୍ସ : ରାଜ୍ୟବାସୀଙ୍କ ପାଇଁ ଆସିଛି କିଛିଟା ଆଶ୍ବସ୍ତିର ଖବର। ଦୀର୍ଘ ଦିନ ଧରି ପ୍ରବଳ ଶୀତ ଓ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ, ଆଜିଠାରୁ ରାଜ୍ୟରେ ଶୀତର ପ୍ରଭାବ ଧୀରେଧୀରେ କମିବାର ସମ୍ଭାବନା ଦେଖାଦେଇଛି। ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଏହା ଫଳରେ ପାରଦ ଉପରମୁହାଁ ହେବା ସହ ଶୀତର ତୀବ୍ରତା କମିବ।ତେବେ ଶୀତ କମିବା ସହିତ ସକାଳ ଓ ରାତି ସମୟରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି। ଏହା ଯୋଗୁଁ ରାସ୍ତା ଓ ରେଳ ଯାତାୟତରେ ବାଧା ସୃଷ୍ଟି ହେବା ସହ ଯାତ୍ରୀମାନେ ବିଶେଷ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ଦୃଶ୍ୟମାନତା କମିଯିବାରୁ ସକାଳ ସମୟରେ ଯାତାୟତ କରୁଥିବା ଲୋକଙ୍କୁ ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। ରବିବାର ରାତିରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୦ ରୁ ୧୧ ଡିଗ୍ରୀ ସେଲସିୟସରୁ ଉପରେ ରହିବାର ଆକଳନ କରାଯାଇଛି। ପୁରୀ, ଗୋପାଳପୁର ଓ ଭଦ୍ରକ ଭଳି ଉପକୂଳୀୟ ଅଞ୍ଚଳରେ ତାପମାତ୍ରା ୧୩ରୁ ୧୪ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ।
ସେହିପରି ସୋମବାର ଠାରୁ ବୁଧବାର, ଅର୍ଥାତ ୨୧ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାରଦ ଧୀରେଧୀରେ ଉପରକୁ ଯିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାଜ୍ୟରେ ଏହି ଶୀତ ଋତୁର ସବୁଠାରୁ କମ୍ ତାପମାତ୍ରା ଘୁ. ଉଦୟଗିରିରେ ୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା।
ଫୁଲବାଣୀରେ ସର୍ବନିମ୍ନ ୫.୫ ଡିଗ୍ରୀ, ରାଉରକେଲାରେ ୬.୬, ଝାରସୁଗୁଡ଼ାରେ ୬.୭, କିରେଇ ଓ ବଲାଙ୍ଗୀରରେ ୮.୨ ଏବଂ ଅନୁଗୁଳରେ ୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପ୍ରବଳ ଶୀତ ଓ ଜାଡ଼ରେ ଲୋକମାନେ ଘରୁ ବାହାରିବାକୁ ଅସୁବିଧା ଅନୁଭବ କରୁଥିବା ବେଳେ, ଆଗାମୀ ଦିନରେ ଶୀତ କମିବା ସହ କିଛିଟା ନିସ୍ତାର ମିଳିବ ବୋଲି ଆଶା କରାଯାଉଛି।

