Sun. Feb 22nd, 2026

ନ୍ୟୁଜ ଡେକ୍ସ : ସମାଜ ଓ ଶିକ୍ଷା ଉପରେ ଚେସ୍ର ପ୍ରଭାବକୁ କେନ୍ଦ୍ର କରି ଭୁବନେଶ୍ବରରେ ପ୍ରଥମଥର ପାଇଁ ଫିଡେ ବିଶ୍ବସ୍ତରୀୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଛି। ଏହି ଆନ୍ତର୍ଜାତୀୟ ଇଭେଣ୍ଟ୍‌ର ମୁଖ୍ୟ ସଂଯୋଜକ ଭାବେ ଓଡ଼ିଆ ଆଇଆର୍ଏସ୍ ଅଧିକାରୀ ତଥା ଚେସ୍ ବ୍ୟକ୍ତିତ୍ୱ ରଞ୍ଜନ ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ସେ ଦେଶ-ବିଦେଶରେ ପ୍ରଶଂସାର ଅଧିକାରୀ ହୋଇଛନ୍ତି।

ଖେଳାଳିରୁ ପ୍ରଶାସକ ଏବଂ ଚେସ୍ ଜଗତର ଏକ ପରିଚିତ ଚେହେରା ଭାବେ ପରିଚିତ ରଞ୍ଜନ ମହାନ୍ତି, ଏହି ସମ୍ମିଳନୀକୁ ସଫଳ କରିବାରେ ନେତୃତ୍ୱ ଦେଇଥିଲେ। ଚେସ୍ର ବିକାଶ ଓ ଶିକ୍ଷା କ୍ଷେତ୍ରରେ ଏହାର ପ୍ରୟୋଗ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ବ ଚେସ୍ ପରିଚାଳନା ସଂସ୍ଥା ‘ଫିଡେ’ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି।ଏହି ବିଶ୍ବସ୍ତରୀୟ ଅବସରରେ ଆଉ ଏକ ଗୌରବମୟ ମୁହୂର୍ତ୍ତ ଦେଖିବାକୁ ମିଳିଛି। ସମ୍ମିଳନୀ ସ୍ମୃତିରେ ପ୍ରକାଶିତ ସ୍ୱତନ୍ତ୍ର ଲଫାପା ଓ ଡାକଟିକଟ୍‌ରେ ରଞ୍ଜନ ମହାନ୍ତିଙ୍କ ସହ ୬ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସ୍ଥାନ ମିଳିଛି। ପ୍ରଥମ ଆଇଆର୍ଏସ୍ ଅଧିକାରୀ ଭାବେ ଏହି ସମ୍ମାନ ଲାଭ କରି ଶ୍ରୀ ମହାନ୍ତି ଓଡ଼ିଶା ସହିତ ଭାରତ ପାଇଁ ଗୌରବ ଆଣିଛନ୍ତି।

ଏହି ଡାକଟିକଟ୍ ଓ ଲଫାପାରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ରୁଷର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଓ ଫିଡେ ସଭାପତି ଆର୍କାଡି ଡଭୋରକୋଭିଚ୍, ପାଞ୍ଚଥର ବିଶ୍ବ ଚେସ୍ ବିଜେତା ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ ଆନନ୍ଦ, ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ଡାନା ରେଜନିସ୍–ଓଜୋଲା, ଭାରତର ଫିଡେ ‘ଚେସ୍ ଇନ୍ ଏଜୁକେସନ୍’ କମିସନ ପ୍ରତିନିଧି ଗ୍ରାଣ୍ଡମାଷ୍ଟର ଅଭିଜିତ୍ କୁଣ୍ଟେ ପ୍ରମୁଖଙ୍କ ନାମ ମଧ୍ୟ ସାମିଲ ରହିଛି।ଉଲ୍ଲେଖଯୋଗ୍ୟ ଯେ, ବରିଷ୍ଠ ଆଇଆର୍ଏସ୍ ଅଧିକାରୀ ରଞ୍ଜନ ମହାନ୍ତି ସର୍ବଭାରତୀୟ ଚେସ୍ ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ଓ ବର୍ତ୍ତମାନ ଇଭେଣ୍ଟ୍ କମିଟିର ସଦସ୍ୟ ଭାବେ ଚେସ୍ର ଆନ୍ତର୍ଜାତୀୟ ପ୍ରସାର ଦିଗରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି।

Leave a Reply

Your email address will not be published. Required fields are marked *