Sun. Feb 22nd, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ଶିଳ୍ପ ମାନଚିତ୍ରରେ ରାଉରକେଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିବା ସହ ରାଜ୍ୟର ପ୍ରମୁଖ ରାଜସ୍ୱ ଯୋଗଦାନକାରୀ ସହର ଭାବେ ପରିଚିତ। ମହାନଗର ନିଗମ ଓ ଇସ୍ପାତ ସହରାଞ୍ଚଳ ମିଶାଇ ସହରର ଜନସଂଖ୍ୟା ପ୍ରାୟ ୯ ଲକ୍ଷ ଟପିଥିବା ସତ୍ତ୍ୱେ ଏଠାରେ ଡାକ୍ତରୀ ଶିକ୍ଷା ଓ ଉନ୍ନତ ସ୍ବାସ୍ଥ୍ୟସେବାର ଭୟାବହ ଅଭାବ ଦେଖାଯାଉଛି।ରାଜ୍ୟର ଅନେକ ଜିଲ୍ଲାରେ ନୂତନ ମେଡିକାଲ କଲେଜ ଓ ହସପିଟାଲ ସ୍ଥାପିତ ହେଉଥିବା ବେଳେ, ରାଉରକେଲା ଦୀର୍ଘ ବର୍ଷ ଧରି ଭିତ୍ତିପ୍ରସ୍ତର ଓ ଅପୂର୍ଣ୍ଣ ପ୍ରତିଶ୍ରୁତିରେ ଅଟକି ରହିଛି।

ଉନ୍ନତମାନର ଚିକିତ୍ସା ପାଇଁ ରାଉରକେଲାବାସୀଙ୍କୁ ପ୍ରାୟ ୪ ଶହ କିଲୋମିଟର ଦୂରକୁ ଭୁବନେଶ୍ବର କିମ୍ବା ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି।୨୦୧୫ ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଉରକେଲା ଗସ୍ତ ସମୟରେ ସେଲ୍ ପରିଚାଳିତ ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ (ଆଇଜିଏଚ୍) ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡିକାଲ କଲେଜରେ ଉନ୍ନୀତ କରାଯିବା ଘୋଷଣା କରିଥିଲେ। ପରେ ପ୍ରାୟ ୨୯୪ କୋଟି ଟଙ୍କା ବ୍ୟୟରେ ନୂତନ ହସପିଟାଲ ଭବନ ନିର୍ମାଣ ହୋଇ ୨୦୨୧ରେ ଉଦ୍ଘାଟିତ ହେଲା। ହସପିଟାଲ ଆପୋଲୋ ହସ୍ପିଟାଲ୍ସ ଅଧୀନରେ କାର୍ଯ୍ୟକ୍ଷମ ହୋଇଥିବା ସତ୍ତ୍ୱେ, ପ୍ରତିଶ୍ରୁତ ମେଡିକାଲ କଲେଜ ଆଜି ପର୍ଯ୍ୟନ୍ତ ଅସ୍ତିତ୍ୱ ନେଇନି। ଅନ୍ୟପଟେ, ୨୦୦୯ ମସିହାରୁ ରାଉରକେଲାରେ ଇଏସ୍ଆଇସି ମେଡିକାଲ କଲେଜ ଓ ହସପିଟାଲ ପାଇଁ ଦାବି ହୋଇଆସୁଛି।

୨୦୧୪ରେ ଭିତ୍ତିପ୍ରସ୍ତର ସ୍ଥାପନ ହେଲେ ମଧ୍ୟ ପରେ ପ୍ରକଳ୍ପକୁ ଭୁବନେଶ୍ବରକୁ ସ୍ଥାନାନ୍ତର କରି ରାଉରକେଲାକୁ ଅଣଦେଖା କରାଯାଇଥିଲା। ନୀତିଗତ ପରିବର୍ତ୍ତନ ପରେ ପ୍ରକଳ୍ପର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି।ଚଳିତ ୨୦୨୬–୨୭ ଆର୍ଥିକ ବର୍ଷରେ ୧୦ଟି ନୂଆ ମେଡିକାଲ କଲେଜ ସ୍ଥାପନ ଘୋଷଣା ହୋଇଥିବା ବେଳେ, ଭୁବନେଶ୍ବରକୁ ପୁଣି ଅଗ୍ରାଧିକାର ଦିଆଯାଇ ରାଉରକେଲାକୁ ଅଣଦେଖା କରାଯାଇଛି। ଏହା ଫଳରେ ଜିଲ୍ଲାର ପ୍ରାୟ ୨ ଲକ୍ଷ ଇଏସ୍ଆଇସି ବୀମାଧାରୀ ସହ ଲକ୍ଷାଧିକ ସାଧାରଣ ଲୋକ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।ରାଉରକେଲା ପାଇଁ ମେଡିକାଲ କଲେଜ ଓ ସରକାରୀ ଉନ୍ନତ ହସପିଟାଲ ଏବେ ଆବଶ୍ୟକତା ନୁହେଁ, ଅନିବାର୍ଯ୍ୟତା ହୋଇଉଠିଛି କିନ୍ତୁ ଦୀର୍ଘଦିନର ଦାବି ଏବେବି ଅପୂର୍ଣ୍ଣ ରହିଛି।

Leave a Reply

Your email address will not be published. Required fields are marked *