ନ୍ୟୁଜ ଡେକ୍ସ : ଓଡ଼ିଶାର କୃଷି କ୍ଷେତ୍ରକୁ ନୂଆ ଦିଗ ଦେବା ଉଦ୍ଦେଶ୍ୟରେ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଖେଳପଡିଆ, ବରମୁଣ୍ଡାରେ ଆୟୋଜିତ ହେବ ‘କୃଷି ଓଡ଼ିଶା–୨୦୨୬’। ରାଜ୍ୟ ସରକାର ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ପ୍ରୟାସରେ ଏହି ମହାକୁମ୍ଭ ପୂର୍ବବର୍ଷ ତୁଳନାରେ ଅଧିକ ବ୍ୟାପକ ଓ ଆକର୍ଷଣୀୟ ହେବାକୁ ଯାଉଛି।
‘ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି’ ଥିମ୍କୁ ଆଧାର କରି ଏଥର ଚାଷୀ, କୃଷି ବୈଜ୍ଞାନିକ, ଗବେଷକ ଓ ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ ହେବ। ଆଧୁନିକ କୃଷି ଯନ୍ତ୍ରପାତିର ପ୍ରଦର୍ଶନ, ଲାଇଭ୍ ଡେମନଷ୍ଟ୍ରେସନ୍, କୃଷି ଶିକ୍ଷା ଶିବିର ଓ ଉନ୍ନତ ପ୍ରଯୁକ୍ତି ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଏହାର ମୁଖ୍ୟ ଆକର୍ଷଣ ରହିବ।ଚାଷୀ ଭାଇ-ଭଉଣୀମାନଙ୍କୁ ସ୍ୱାବଳମ୍ବୀ ଓ ସଶକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ଆୟୋଜିତ ପ୍ରସ୍ତୁତି ବୈଠକରେ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ପ୍ରଗତି ବିଷୟରେ ଅବଗତ କରାଇଥିଲେ। ଏହି ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ କାଲୁଙ୍ଗେ ଗୋରଖ ୱାମନ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ‘କୃଷି ଓଡ଼ିଶା–୨୦୨୬’ ଓଡ଼ିଶାର କୃଷି ଭବିଷ୍ୟତକୁ ନୂଆ ଉଚ୍ଚତାକୁ ନେଇଯିବ ବୋଲି ଆଶା ପ୍ରକାଶ ପାଇଛି।

