Sun. Feb 22nd, 2026

ନ୍ୟୁଜ ଡେକ୍ସ : ରାଜ୍ୟର ମହିଳା ସଶକ୍ତିକରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ‘ସୁଭଦ୍ରା ଯୋଜନା’କୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ପୂର୍ବରୁ ଜାନୁଆରୀ ୧୮ ତାରିଖରେ ସହାୟତା ରାଶି ପ୍ରଦାନ କରାଯିବାକୁ ଥିବା ବେଳେ, ପ୍ରଶାସନିକ କାରଣରୁ ତାରିଖରେ ପରିବର୍ତ୍ତନ କରାଯାଇଛି। ଏବେ ଆସନ୍ତା ଜାନୁଆରୀ ୨୨ ତାରିଖରେ ସୁଭଦ୍ରା ଯୋଜନାର ସହାୟତା ଅର୍ଥ ରାଶି ହିତାଧିକାରୀମାନଙ୍କ ଖାତାକୁ ସିଧାସଳଖ ଜମା ହେବ।

ଏନେଇ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ (ଟ୍ୱିଟର) ଜରିଆରେ ସ୍ପଷ୍ଟ କରାଯାଇଛି ଯେ, ସୁଭଦ୍ରା ଯୋଜନାରେ ନୂଆକରି ସାମିଲ ହୋଇଥିବା ହିତାଧିକାରୀମାନେ ଜାନୁଆରୀ ୧୮ ବଦଳରେ ୨୨ ତାରିଖରେ ସହାୟତା ରାଶି ପାଇବେ। ଏହି ଘୋଷଣା ପରେ ରାଜ୍ୟର ଲକ୍ଷାଧିକ ମହିଳାଙ୍କ ମଧ୍ୟରେ ଆଶା ଓ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ସାମିଲ ହୋଇସାରିଛନ୍ତି। ଏହାମଧ୍ୟରୁ ନୂଆକରି ୧ ଲକ୍ଷ ୭୮ ହଜାର ୩୯୮ ଜଣ ମହିଳାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି, ଯେଉଁମାନେ ପ୍ରଥମ ଥର ପାଇଁ ସୁଭଦ୍ରା ଯୋଜନାର କିସ୍ତି ରାଶି ପାଇବେ।ତେବେ ଏଥିରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ପୂର୍ବରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣ ମହିଳାଙ୍କୁ ଏଥର ପୁନଃ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି।

ଏହି ହିତାଧିକାରୀମାନେ ଏକାବେଳକେ ଦୁଇଟି କିସ୍ତିର ସହାୟତା ରାଶି ପାଇବେ, ଯାହା ତାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ବଡ଼ ସହାୟକ ହେବ।ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ମହିଳା ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ ଦେଖାଯାଉଛି। ସୁଭଦ୍ରା ଯୋଜନା ଜରିଆରେ ମହିଳାମାନେ ଆର୍ଥିକ ସୁରକ୍ଷା ସହିତ ସ୍ୱାଭିମାନରେ ଜୀବନ ଯାପନ କରିବାର ସୁଯୋଗ ପାଉଛନ୍ତି ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *