ନ୍ୟୁଜ ଡେକ୍ସ : ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ମହାଶକ୍ତି ଫାଉଣ୍ଡେସନ ସହଯୋଗରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ପୌରପାଳିକା ଅଞ୍ଚଳରେ ମହିଳା ସଶକ୍ତିକରଣର ଏକ ଦୃଢ଼ ଦୃଷ୍ଟାନ୍ତ ସୃଷ୍ଟି କରିଛି। ହିଣ୍ଡାଲ୍କୋର ଅଗ୍ରଣୀ ମହିଳା ଜୀବିକା ଓ ସଶକ୍ତିକରଣ ପ୍ରୟାସ ‘ପ୍ରୋଜେକ୍ଟ ଶକ୍ତି’ ମାଧ୍ୟମରେ ମହିଳାମାନଙ୍କୁ କେବଳ ଜୀବିକା ନୁହେଁ, ବରଂ ଉଦ୍ୟୋଗୀ, କାରିଗର ଓ ସେବା ଯୋଗାଣକାରୀ ଭାବେ ଆତ୍ମନିର୍ଭର କରାଯାଉଛି।
ହିଣ୍ଡାଲ୍କୋର ମାଇନିଂ ବିଜିନେସ୍ ହେଡ୍ ଏବଂ କ୍ଲଷ୍ଟର ହେଡ୍ କୈଳାସ ପାଣ୍ଡେ କହିଛନ୍ତି ଯେ, “ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ହେଉଛି ପ୍ରକୃତ ସଶକ୍ତିକରଣର ମୂଳ ଆଧାର। ‘ପ୍ରୋଜେକ୍ଟ ଶକ୍ତି’ ମାଧ୍ୟମରେ ଅଣଆନୁଷ୍ଠାନିକ ଜୀବିକାକୁ ଆନୁଷ୍ଠାନିକ ରୂପ ଦେଇ ମହିଳା ନେତୃତ୍ୱରେ ଅଣ-କୃଷି ଉଦ୍ୟୋଗକୁ ସୁଦୃଢ଼ କରାଯାଉଛି।” ଏହି ପ୍ରୟାସରେ କୌଶଳ ବିକାଶ, ବୈଧାନିକ ଅନୁପାଳନ, ଆବଶ୍ୟକ ଭିତ୍ତିଭୂମି, ବଜାର ସଂଯୋଗ ଓ ଆୟ ସୃଷ୍ଟିକାରୀ ବ୍ୟବସାୟରେ ପରିଣତି ପାଇଁ ସମଗ୍ର ସମର୍ଥନ ଦିଆଯାଉଛି।ଗତ ୨୦୨୫ ଡିସେମ୍ବରରେ ଆରମ୍ଭ ହୋଇଥିବା ‘ପ୍ରୋଜେକ୍ଟ ଶକ୍ତି’ ଆଜି ସୁଦ୍ଧା ହୀରାକୁଦ ପୌରପାଳିକା ଅନ୍ତର୍ଗତ ୧୧ଟି ଗ୍ରାମର ୫୫ ଜଣ ମହିଳାଙ୍କୁ ପ୍ରତ୍ୟକ୍ଷ ଭାବେ ଉପକୃତ କରିଛି।
ସେହିପରି ୧୨୦ଟି ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚ୍ଜି) ପରିବାରକୁ ନେଇ ଏକ ସୁଦୃଢ଼ ନେଟୱର୍କ ଗଢ଼ିଉଠିଛି ଏବଂ ପ୍ରାୟ ୧୨୦୦ ଜଣ ମହିଳା ନେତୃତ୍ୱାଧୀନ ଜୀବିକା କାର୍ଯ୍ୟକଳାପ ସକାରାତ୍ମକ ଭାବେ ପ୍ରଭାବିତ ହୋଇଛନ୍ତି। ଆଗାମୀ ଦିନରେ ଉଦ୍ୟୋଗ ବିକାଶ, କୌଶଳ ଉନ୍ନତି ଓ ସଂସ୍ଥାନଗତ ଏକତ୍ରୀକରଣ ମାଧ୍ୟମରେ ୫୦୦୦ ମହିଳା ହିତାଧିକାରୀଙ୍କ ନିକଟରେ ପହଞ୍ଚିବାକୁ ଏହି ପ୍ରୋଜେକ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିଛି।ଏହି ପ୍ରୋଜେକ୍ଟର ଏକ ଉଲ୍ଲେଖନୀୟ ସଫଳତା ହେଉଛି ହୀରାକୁଦର ନ୍ୟୁ ମାର୍କେଟ ଅଞ୍ଚଳରେ ମହିଳା ନେତୃତ୍ୱରେ ପରିଚାଳିତ ‘ଓମ୍ ଶାନ୍ତି ଡିଲାଇଟ୍ – କ୍ୟାଟରିଂ ସର୍ଭିସେସ୍’।
ଗୋଲାପ ସ୍ୱାଇଁ ଓ ସୁଷମା ସ୍ୱାଇଁଙ୍କ ଦ୍ୱାରା ଦିନ ମଜୁରିଆଙ୍କ ପାଇଁ ଆରମ୍ଭ ହୋଇଥିବା ଏକ ଛୋଟ ଭୋଜନ ସେବା ଆଜି ପୂର୍ଣ୍ଣାଙ୍ଗ ଲାଇସେନ୍ସପ୍ରାପ୍ତ କ୍ୟାଟରିଂ ଉଦ୍ୟୋଗରେ ପରିଣତ ହୋଇଛି। ଏହି ଉଦ୍ୟୋଗ ୨୦ ଜଣ ଏସଏଚ୍ଜି ମହିଳାଙ୍କୁ ନିୟୋଜନ ଦେଇ ଆର୍ଥିକ ସ୍ୱାବଲମ୍ବନର ନୂଆ ଦିଗ ଦେଖାଇଛି। ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ ଓ ପେଶାଦାର ସେବା ମାନଦଣ୍ଡ ରକ୍ଷା ପାଇଁ ସଂଗଠିତ ପରାମର୍ଶ ସହିତ ଏଫଏସଏସଏଆଇ, ଜିଏସଟି ଓ ଦୋକାନ–ପ୍ରତିଷ୍ଠାନ ପଞ୍ଜୀକରଣ ପ୍ରକ୍ରିୟା ସୁଗମ କରାଯାଇଛି।
ଏହା ଫଳରେ ଉଦ୍ୟୋଗଟି ପାକଶାଳା ଓ କ୍ୟାଟରିଂ ଉପକରଣ ପାଇଁ ୭୦ ପ୍ରତିଶତ ପାଣ୍ଠି ସଂଗ୍ରହ କରିପାରିଛି।ସମଗ୍ର ଭାବେ ‘ପ୍ରୋଜେକ୍ଟ ଶକ୍ତି’ ମହିଳାମାନଙ୍କୁ ନିଜ ପାଦ ଉପରେ ଦଢ଼ ହେବାର ସାହସ ଦେଇ ଗ୍ରାମୀଣ ଓ ଅର୍ଦ୍ଧ-ନଗର ଅଞ୍ଚଳରେ ସମାବେଶୀ ଆର୍ଥିକ ଉନ୍ନତିର ଏକ ସଫଳ ମଡେଲ ଭାବେ ଉଭୟ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ପରିଚିତ ହେଉଛି।

