ନ୍ୟୁଜ ଡେକ୍ସ : ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜନ୍ମଜୟନ୍ତୀକୁ ନେଇ ଏଥର କଟକ ସହରରେ ଭବ୍ୟ ଏବଂ ଐତିହାସିକ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆସନ୍ତା ଜାନୁଆରୀ ୨୩ ତାରିଖରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ କଟକ ଗସ୍ତରେ ଆସିବାକୁ ସହମତି ଦେଇଥିବାରୁ ରାଜ୍ୟ ସଂସ୍କୃତି ବିଭାଗ ଓ ପ୍ରଶାସନ ତରଫରୁ ପ୍ରସ୍ତୁତିକୁ ତ୍ବରାନ୍ୱିତ କରାଯାଇଛି।
ଉପରାଷ୍ଟ୍ରପତି ଏହି ଦିନ ନେତାଜୀ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ଏକ ନୂଆ ଗ୍ୟାଲେରୀର ଉଦଘାଟନ କରିବେ।ଏହି ନୂଆ ଗ୍ୟାଲେରୀରେ ଡାକ ବିଭାଗ ପକ୍ଷରୁ ପ୍ରକାଶିତ ନେତାଜୀ, ଆଜାଦ ହିନ୍ଦ ଫୌଜ, ଆଇଏନଏ ସହିତ ଦେଶର ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଜାରି ହୋଇଥିବା ପୋଷ୍ଟାଲ ଷ୍ଟାମ୍ପ ପ୍ରଦର୍ଶିତ କରାଯିବ। ଏହା ସହ ପୁରାତନ ପୋଷ୍ଟକାର୍ଡ, ଇନଲ୍ୟାଣ୍ଡ ଚିଠି, ଏବଂ ସ୍ୱାଧୀନତା ସଂଗ୍ରାମ ସହ ଜଡିତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଦୁର୍ଲଭ ପତ୍ରାଚାରକୁ ମଧ୍ୟ ଗ୍ୟାଲେରୀରେ ସ୍ଥାନ ମିଳିବ। ଏହା ମାଧ୍ୟମରେ ନୂତନ ପିଢ଼ି ନେତାଜୀଙ୍କ ଜୀବନ, ଆଦର୍ଶ ଓ ସଂଘର୍ଷ ସମ୍ପର୍କରେ ଗଭୀର ଭାବେ ଜାଣିବାର ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।
ଉପରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସଂସ୍କୃତି ସଚିବ ବିଜୟ କେତନ ଉପାଧ୍ୟାୟ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ଏଥର ଜୟନ୍ତୀ ଅବସରରେ ପୋଷ୍ଟାଲ ଗ୍ୟାଲେରୀ ସହିତ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି ସଭା ଓ ଐତିହାସିକ ଆଲୋଚନାଚକ୍ର ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଯୋଗ ଦେବେ।ଏହା ସହ ନେତାଜୀଙ୍କ ଜୀବନ ଓ ସଂଘର୍ଷକୁ ଆଲୋକିତ କରିବା ପାଇଁ ସଂସ୍କୃତି ମନ୍ତ୍ରଣାଳୟ ଓ ଲଳିତ କଳା ଏକାଡେମୀ ପକ୍ଷରୁ ଏକ ବିଶେଷ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯିବ। ଏହି ପ୍ରଦର୍ଶନୀରେ ନେତାଜୀଙ୍କ ଦୁର୍ଲଭ ଫଟୋ, ଦଲିଲପତ୍ର ଓ ଐତିହାସିକ ତଥ୍ୟ ପ୍ରଦର୍ଶିତ ହେବ।ଅନ୍ୟପକ୍ଷରେ, ଚଳିତ ବର୍ଷ ଆଣ୍ଡାମାନ–ନିକୋବରର ରାଜଧାନୀ ପୋର୍ଟବ୍ଲେୟାରରେ ଜାନୁଆରୀ ୨୩ରୁ ୨୬ ପର୍ଯ୍ୟନ୍ତ ‘ପରାକ୍ରମ ଦିବସ’ ଉତ୍ସବ ପାଳନ କରାଯାଉଛି।
ଏହି ଅବସରରେ କଟକ ନେତାଜୀ ସଂଗ୍ରହାଳୟରୁ ନେତାଜୀଙ୍କ ବ୍ୟବହୃତ ପ୍ଲାଟିନମ ପେନ, ଜ୍ୟାମିତି ବାକ୍ସ, ହୋମିଓପ୍ୟାଥି ବାକ୍ସ ପରି ଦୁର୍ଲଭ ସାମଗ୍ରୀ ପୋର୍ଟବ୍ଲେୟାରକୁ ନିଆଯାଇଛି। କାର୍ଯ୍ୟକ୍ରମ ସମାପ୍ତି ପରେ ଏହି ସମସ୍ତ ଐତିହାସିକ ସାମଗ୍ରୀ ପୁନଃ କଟକ ସଂଗ୍ରହାଳୟକୁ ଫେରାଇ ଆଣାଯିବ। ନେତାଜୀ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ କଟକ ପାଇଁ ଗୌରବର ବିଷୟ ହେବା ସହ ରାଜ୍ୟର ସାଂସ୍କୃତିକ ଓ ଐତିହାସିକ ପରିଚୟକୁ ଜାତୀୟ ସ୍ତରରେ ଆହୁରି ଉଜାଗର କରିବ ବୋଲି ଆଶା କରାଯାଉଛି।

