ନ୍ୟୁଜ ଡେକ୍ସ : ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ୍ (ୟୁଜିସି) ଦ୍ୱାରା ଜାରି ନୂଆ ‘ଇକ୍ୱିଟି ରେଗୁଲେସନ୍–୨୦୨୬’ ଉପରେ ସୁପ୍ରିମକୋର୍ଟ ଅନ୍ତରିମ ରୋକ ଲଗାଇଛନ୍ତି। ଏହି ନିୟମକୁ ନେଇ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରି ପ୍ରଧାନବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଯେ, “ଦେଶକୁ ଜାତିବିହୀନ ସମାଜ ଦିଗରେ ଆଗେଇ ନେବା ଆବଶ୍ୟକ।”
କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର ଓ ୟୁଜିସିକୁ ନୋଟିସ୍ ଜାରି କରିଛନ୍ତି ଏବଂ ନୂଆ ନିୟମ ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ୨୦୧୨ର ପୁରୁଣା ନିୟମଗୁଡ଼ିକ ନୂଆ ଆଦେଶ ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ।ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ, ୟୁଜିସିର ନୂଆ ନିୟମ ଅସ୍ପଷ୍ଟ ଏବଂ ଏହାର ଦୂରୁପଯୋଗ ହେବାର ସମ୍ଭାବନା ରହିଛି। ବିଶେଷକରି ନିୟମର ସେକ୍ସନ୍ ୩-ସି, ଯାହା ଜାତି ଆଧାରିତ ବ୍ୟବସ୍ଥା ସହ ଜଡିତ, ତାହା ନେଇ କୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୯ ତାରିଖରେ ହେବ। ଆବେଦନକାରୀ ଭିନୀତ ଜିନ୍ଦଲ କହିଛନ୍ତି ଯେ, ସିଜେଆଇ ତାଙ୍କ ତର୍କର ପ୍ରଶଂସା କରିଛନ୍ତି ଏବଂ ଏହାକୁ ସେ ଏକ ବଡ଼ ବିଜୟ ଭାବେ ଦେଖୁଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟତଃ ୩ଟି ପ୍ରସଙ୍ଗରେ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ହୋଇଛି।
ଉଲ୍ଲେଖନୀୟ ଯେ, ୟୁଜିସି ‘ଇକ୍ୱିଟି ରେଗୁଲେସନ୍–୨୦୨୬’କୁ ଜାନୁୟାରୀ ୨୩ରେ ଅଧିସୂଚିତ କରିଥିଲା। ଏହା ପରେ ସାରା ଦେଶରେ ଏହି ନିୟମ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଡଭୋକେଟ୍ ଭିନୀତ ଜିନ୍ଦଲ, ମୃତ୍ୟୁଞ୍ଜୟ ତିୱାରୀ ଓ ରାହୁଲ ଦିୱାନ ସମେତ ଅନେକ ଆବେଦନକାରୀ ଏହାକୁ ଭେଦଭାବପୂର୍ଣ୍ଣ ଓ ମନଇଛା ବୋଲି ଦାବି କରି ସୁପ୍ରିମକୋର୍ଟର ଶରଣାପତ୍ତି ହୋଇଥିଲେ।ସେମାନଙ୍କ ତର୍କ ଅନୁଯାୟୀ, ଏହି ନିୟମ ସାଧାରଣ ବର୍ଗର ଲୋକମାନଙ୍କ ପ୍ରତି ଭେଦଭାବ କରୁଛି ଏବଂ ସମାନତାର ସଂବିଧାନିକ ସିଦ୍ଧାନ୍ତକୁ ଉଲ୍ଲଂଘନ କରୁଛି।

