Sat. Jun 6th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଧିକ ସୁଚାରୁ ଓ ସୁରୁଖୁରୁରେ ପରିଚାଳନା କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଉଳର ମିଲିଂ ଖର୍ଚ୍ଚ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଅଧିକ ସହଜ ହେବା ସହ ମିଲରମାନଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୨୦ ଟଙ୍କାରୁ ବୃଦ୍ଧି ପାଇ ୪୦ ଟଙ୍କା କରାଯାଇଛି।

ସେହିପରି ଅରୁଆ ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା ୧୦ ଟଙ୍କାରୁ ବୃଦ୍ଧି ପାଇ ୨୦ ଟଙ୍କା ହୋଇଛି। ଅର୍ଥାତ୍ ଉଭୟ କ୍ଷେତ୍ରରେ ମିଲିଂ ଦରକୁ ଦ୍ୱିଗୁଣ କରାଯାଇଛି।ସରକାରଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଶ୍ରମିକ ମଜୁରୀ, ପେଟ୍ରୋଲ ଓ ଡିଜେଲ ଦର ସହିତ ବିଭିନ୍ନ ମିଲିଂ ସାମଗ୍ରୀର ମୂଲ୍ୟ ଲକ୍ଷଣୀୟ ଭାବେ ବୃଦ୍ଧି ପାଇଛି। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟରେ ମିଲିଂ ଦର ଦୀର୍ଘଦିନ ଧରି ଅପରିବର୍ତ୍ତିତ ରହିଥିଲା।

ଅନ୍ୟପକ୍ଷରେ ଦେଶର ଅନ୍ୟାନ୍ୟ ରାଜ୍ୟରେ ମିଲିଂ ଦର ଓଡ଼ିଶା ତୁଳନାରେ ଯଥେଷ୍ଟ ଅଧିକ ରହିଛି। ଏହି ନୂଆ ନିଷ୍ପତ୍ତି ଫଳରେ ମିଲରମାନଙ୍କ ଆର୍ଥିକ ଚାପ କମିବା ସହ ଧାନ ମିଲିଂ କାର୍ଯ୍ୟରେ ଅଧିକ ଗତି ଆସିବ। ଫଳସ୍ୱରୂପ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଅଧିକ ସୁରୁଖୁରୁରେ ସମ୍ପନ୍ନ ହେବା ସହ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *