Sat. Feb 21st, 2026

ନ୍ୟୁଜ ଡେକ୍ସ : ସଂସଦରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ଲଗାତାର ୯ମ ବଜେଟ୍ ହୋଇଥିବା ବେଳେ, ଏହି ବଜେଟ୍‌କୁ ‘ବିକଶିତ ଭାରତ’ ଲକ୍ଷ୍ୟର ଦିଗରେ ଆଉ ଗୋଟିଏ ବଡ଼ ପଦକ୍ଷେପ ବୋଲି ସେ ବର୍ଣ୍ଣନା କରିଛନ୍ତି।ବଜେଟ୍ ଭାଷଣରେ ନିର୍ମଳା ସୀତାରମଣ ବିଗତ ୧୧ ବର୍ଷର ଭାରତର ଆର୍ଥିକ ଅଭିବୃଦ୍ଧି, ଢାଞ୍ଚାଗତ ଉନ୍ନତି, ଡିଜିଟାଲ୍ ଅର୍ଥନୀତି ଓ ନିବେଶ ଆକର୍ଷଣର ତଥ୍ୟ ରଖିଥିଲେ।

ସେ କହିଥିଲେ ଯେ, ଭାରତ ଏବେ ଏକ ଦ୍ରୁତଗତିରେ ବଢୁଥିବା ଅର୍ଥନୀତି ଭାବେ ବିଶ୍ୱରେ ନିଜ ସ୍ଥାନ ମଜବୁତ କରିଛି।ଏହି ବଜେଟ୍‌ର ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟରେ ରହିଛି ଆୟକର ବ୍ୟବସ୍ଥାରେ ନୂଆ ପରିବର୍ତ୍ତନ। ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଏପ୍ରିଲ ୧, ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଏହା ମାଧ୍ୟମରେ ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ଅଧିକ ସହଜ, ସ୍ପଷ୍ଟ ଓ ସୁବିଧାଜନକ କରାଯିବ। ସେ କହିଛନ୍ତି ଯେ, ଏବେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ। ସାଧାରଣ କରଦାତାଙ୍କ ପାଇଁ ITR-1 ଓ ITR-2 ଫର୍ମ ମାଧ୍ୟମରେ ରିଟର୍ଣ୍ଣ ଭରିବା ପ୍ରକ୍ରିୟାକୁ ଆହୁରି ସରଳ କରାଯିବ।

ଏହା ସହିତ, ଏନଆରଆଇମାନେ (NRI) ଏବେ PAN କାର୍ଡ ମାଧ୍ୟମରେ ନିଜ ସଂପତ୍ତି ବିକ୍ରି କରିପାରିବେ ବୋଲି ଘୋଷଣା କରାଯାଇଛି, ଯାହା ଦେଶରେ ନିବେଶ ଓ ରିଅଲ୍‌ ଏଷ୍ଟେଟ୍ କ୍ଷେତ୍ରକୁ ଆହୁରି ସକ୍ରିୟ କରିବ ବୋଲି ଆଶା କରାଯାଉଛି।ସାର୍ବିକ ଭାବେ, ବଜେଟ୍ ୨୦୨୬–୨୭କୁ ସରକାର ‘ସମାବେଶୀ ବିକାଶ, ସୁଦୃଢ଼ ଅର୍ଥନୀତି ଓ ସରଳ କର ପ୍ରଣାଳୀ’ ଉପରେ କେନ୍ଦ୍ରିତ ବଜେଟ୍ ଭାବେ ପ୍ରସ୍ତୁତ କରିଛି। ଏହି ବଜେଟ୍ ଭାରତକୁ ବିକଶିତ ଦେଶର ଦିଗରେ ଆଗକୁ ନେବାରେ ଏକ ମହତ୍ୱପୂର୍ଣ୍ଣ ମାଇଲ୍‌ସ୍ଟୋନ୍ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *