Sat. Feb 21st, 2026

ନ୍ୟୁଜ ଡେକ୍ସ : ମଙ୍ଗଳବାର ରାତିରେ କୋଲକାତା ସହ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ହଠାତ୍ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ରାତି ସମୟରେ ଭୂମି ହଲଚଲ କରିବା ସହ ଘର ଓ ଆସବାବପତ୍ର କମ୍ପିବାରୁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଯାଇଥିଲେ।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମାପାଯାଇଛି, ଯାହା ମଧ୍ୟମ ମାନରୁ ଉପରେ ଥିବା ଏକ ଶକ୍ତିଶାଳୀ କମ୍ପନ ବୋଲି ଧରାଯାଏ।

ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ସିତ୍‌ୱେ ନିକଟରେ ଥିବା ସୂଚନା ମିଳିଛି। ଏହି ସ୍ଥାନଟି ୟେନାଙ୍ଗୟାଙ୍ଗରୁ ପ୍ରାୟ ୯୫ କିଲୋମିଟର ପଶ୍ଚିମରେ ଏବଂ ବାଂଲାଦେଶର କକ୍ସ ବଜାରରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ମିଆଁମାରରେ ଭୂକମ୍ପ ଘଟିଥିଲେ ମଧ୍ୟ ଏହାର ତୀବ୍ର ପ୍ରଭାବ ଭାରତର ପୂର୍ବାଞ୍ଚଳ, ବିଶେଷକରି ପଶ୍ଚିମବଙ୍ଗରେ ଅନୁଭୂତ ହୋଇଥିଲା। କୋଲକାତା, ହାଉରା, ହୁଗଳି, ନଦିଆ, ଉତ୍ତର ଓ ଦକ୍ଷିଣ ୨୪ ପରଗଣା ସହ ବହୁ ଅଞ୍ଚଳରେ ଲୋକମାନେ ଏହି କମ୍ପନକୁ ସ୍ପଷ୍ଟ ଭାବରେ ଅନୁଭବ କରିଥିଲେ। ଭୂକମ୍ପ ପରେ ରାତିରେ ଲୋକମାନେ କିଛି ସମୟ ପର୍ଯ୍ୟନ୍ତ ଖୋଲା ସ୍ଥାନରେ ରହିଥିବା ଦେଖାଯାଇଥିଲା।

ଯଦିଓ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତ ଘଟଣା ରିପୋର୍ଟ ହୋଇନାହିଁ, ତଥାପି ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଜିଲ୍ଲା ପ୍ରଶାସନ ଏବଂ ଆପଦକାଳୀନ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହା ଛଡା ଗତ କିଛି ସପ୍ତାହ ମଧ୍ୟରେ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଭୂକମ୍ପ ଘଟଣା ଦେଖାଯାଇଛି। ଫେବୃଆରୀ ୨, ୨୦୨୬ରେ ଜମ୍ମୁ–କାଶ୍ମୀରର ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ୪.୮ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା, ଯାହାର କେନ୍ଦ୍ରସ୍ଥଳ ବଡଗାମ ଜିଲ୍ଲାରେ ଥିଲା।

ଏହାର ପ୍ରଭାବରେ ସମଗ୍ର କାଶ୍ମୀର ଉପତ୍ୟକାରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ତା’ପୂର୍ବରୁ ଜାନୁଆରୀ ୧୯, ୨୦୨୬ରେ ଲଦାଖ ଓ ଲେହ ଅଞ୍ଚଳରେ ୫.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଘଟିଥିଲା। ବିଶେଷଜ୍ଞମାନଙ୍କ ମତାନୁସାରେ, ଭାରତ ଓ ପାଶ୍ୱର୍ତୀ ଦେଶଗୁଡ଼ିକ ଭୂକମ୍ପ ପ୍ରବଣ ଅଞ୍ଚଳରେ ଥିବାରୁ ଏପରି କମ୍ପନ ସମୟ ସମୟରେ ଘଟୁଥାଏ। ତେଣୁ ଲୋକମାନେ ସଚେତନ ରହିବା, ଆପଦକାଳୀନ ନିର୍ଦ୍ଦେଶାବଳୀ ପାଳନ କରିବା ଓ ଆତଙ୍କିତ ନହେବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।

Leave a Reply

Your email address will not be published. Required fields are marked *