ନ୍ୟୁଜ ଡେକ୍ସ : ଆମେରିକାର କୁଖ୍ୟାତ ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କ ମାମଲା ଆଉଥରେ ବଡ଼ ବିବାଦରେ ପଡ଼ିଛି। ଏପଷ୍ଟିନ ମାମଲା ସହିତ ସଂପୃକ୍ତ ଲକ୍ଷାଧିକ ଗୁପ୍ତ ତଦନ୍ତ ଦଲିଲ ସାର୍ବଜନୀନ କରାଯିବା ପରେ, ଅନେକ ପୀଡିତଙ୍କ ନାମ, ଠିକଣା ଓ ବ୍ୟକ୍ତିଗତ ସୂଚନା ଅଜାଣତେ ଫାସ ହୋଇଯାଇଛି।
ଏହି ଗମ୍ଭୀର ତ୍ରୁଟିକୁ ନେଇ ଏବେ ଆମେରିକାର ଏକ ଫେଡେରାଲ କୋର୍ଟରେ ଶୁଣାଣି ହେବାକୁ ଯାଉଛି।ଫେଡେରାଲ ବିଚାରପତି ରିଚାର୍ଡ ଏମ୍. ବର୍ମନ ଘୋଷଣା କରିଛନ୍ତି ଯେ, ଏପଷ୍ଟିନ ମାମଲା ସହିତ ଜଡିତ ତଦନ୍ତ ଫାଇଲଗୁଡ଼ିକୁ କୋର୍ଟ ୱେବସାଇଟରୁ ହଟାଇବା କିମ୍ବା ସଂଶୋଧନ କରିବା ସମ୍ପର୍କିତ ଅନୁରୋଧ ଉପରେ ବୁଧବାର, ଅର୍ଥାତ୍ ଆଜି ଶୁଣାଣି ହେବ। ପୀଡିତମାନଙ୍କର ସୁରକ୍ଷା ଓ ଗୋପନୀୟତା ନଷ୍ଟ ହୋଇଥିବା ଅଭିଯୋଗ ପରେ ଏହି ମାମଲା ଆହୁରି ଗୁରୁତ୍ୱ ପାଇଛି। ଗତ ସପ୍ତାହରେ ଆମେରିକାର ନ୍ୟାୟ ବିଭାଗ ଏପଷ୍ଟିନ ମାମଲା ସହିତ ସଂପୃକ୍ତ ୩୦ ଲକ୍ଷରୁ ଅଧିକ ଡକ୍ୟୁମେଣ୍ଟ ସାର୍ବଜନୀନ କରିଥିଲା।
ଏହି ଦଲିଲଗୁଡ଼ିକରେ ଏପଷ୍ଟିନଙ୍କ ରାଜନୈତିକ ନେତା, ବ୍ୟବସାୟୀ, ଧନୀ ଉଦ୍ୟୋଗପତି ଓ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବିଷୟରେ ବିସ୍ତୃତ ତଥ୍ୟ ଥିଲା। କିନ୍ତୁ ଏହି ଦଲିଲ ପ୍ରକାଶ ପରେ ଦେଖାଗଲା ଯେ, ଅନେକ ପୀଡିତଙ୍କ ପରିଚୟ ଠିକ୍ ଭାବରେ ଗୋପନ ରଖାଯାଇନଥିଲା।ଫ୍ଲୋରିଡାର ଏକ ଆଇନ ଫର୍ମର ଓକିଲମାନେ କୋର୍ଟକୁ ଜଣାଇଛନ୍ତି ଯେ, ଏକ ଇମେଲ ଡକ୍ୟୁମେଣ୍ଟରେ ୩୨ ଜଣ ନାବାଳକ ପୀଡିତାଙ୍କ ତାଲିକା ଥିଲା, ଯାହାରୁ କେବଳ ଗୋଟିଏ ନାମ ଅସ୍ପଷ୍ଟ କରାଯାଇଥିଲା, ଅନ୍ୟ ୩୧ ଜଣଙ୍କ ନାମ ସ୍ପଷ୍ଟ ଭାବେ ପ୍ରକାଶିତ ହୋଇଯାଇଥିଲା। ଏହା ସହ ଜଣେ ପୀଡିତା ଅଭିଯୋଗ କରିଛନ୍ତି ଯେ, ଡକ୍ୟୁମେଣ୍ଟରେ ତାଙ୍କର ସମ୍ପୂର୍ଣ୍ଣ ଘର ଠିକଣା ମଧ୍ୟ ଲେଖାଯାଇଥିଲା, ଯାହା ତାଙ୍କ ସୁରକ୍ଷା ପାଇଁ ଭୟଙ୍କର ବିପଦ ସୃଷ୍ଟି କରିପାରେ।
ଏହି ଗମ୍ଭୀର ତ୍ରୁଟି ପରେ, ପୀଡିତଙ୍କ ପକ୍ଷରୁ ଓକିଲମାନେ ସରକାରକୁ ତୁରନ୍ତ କୋର୍ଟ ୱେବସାଇଟରୁ ଏହି ଫାଇଲଗୁଡ଼ିକୁ ହଟାଇବା ଏବଂ ସଂଶୋଧନ କରିବା ପାଇଁ ଦାବି କରିଥିଲେ। ବିଚାରପତି ବର୍ମନ କହିଛନ୍ତି ଯେ, ସେ ଏହି ମାମଲାରେ ଶୁଣାଣି କରିବେ, କିନ୍ତୁ ଆଇନଗତ ଭାବେ ସେ କେତେ ଦୂର ସହାୟତା ଦେଇପାରିବେ, ସେଥିରେ ସେ ନିଶ୍ଚିତ ନୁହଁନ୍ତି।ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସେମାନେ ଡକ୍ୟୁମେଣ୍ଟଗୁଡ଼ିକୁ ପୁନଃପରୀକ୍ଷା କରି ଆବଶ୍ୟକ ରେଡାକ୍ସନ୍ (ନାମ ଓ ସୂଚନା ଲୁଚାଇବା) କାମ ଜୋରଦାର ଭାବେ ଜାରି ରଖିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ଫାଇଲରେ ଆପତ୍ତିଜନକ ଫଟୋ ମଧ୍ୟ ଥିଲା, ଯାହାକୁ ପରେ ତୁରନ୍ତ ହଟାଇ ଦିଆଯାଇଛି।ଏହି ଘଟଣା ଏକଥର ପୁନଃ ଏପଷ୍ଟିନ ମାମଲାର ଗଭୀରତା, ପୀଡିତଙ୍କ ଯନ୍ତ୍ରଣା ଓ ଆଇନ ପ୍ରଣାଳୀର ଦାୟିତ୍ୱକୁ ନେଇ ଆମେରିକାରେ ତୀବ୍ର ଚର୍ଚ୍ଚା ସୃଷ୍ଟି କରିଛି।

