Sat. Feb 21st, 2026

ନ୍ୟୁଜ ଡେକ୍ସ : ଜନ୍ମମାଟି ଓଡ଼ିଶାରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତୃତୀୟ ଦିନର ଗସ୍ତ ଆଜି ଭାବାବେଗ ଓ ଆସ୍ଥାରେ ଭରିଥିବା ଏକ ସ୍ମରଣୀୟ ଦିନ ଭାବେ ରେକର୍ଡ ହୋଇଛି। ଆଜି ସେ ଶିମିଳିପାଳ ଯିବା ପୂର୍ବରୁ ଗତକାଲି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଭକ୍ତିମୟ ସମୟ କାଟିଥିଲେ।ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରି ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ୍ ଧରି ମହାପ୍ରଭୁଙ୍କ ସାନିଧ୍ୟରେ ଲୀନ ରହିଥିଲେ।

ଭକ୍ତିରେ ଗଦଗଦ ହୋଇ ସେ ବାଇଶି ପାହାଚ ଉପରେ କିଛି ସମୟ ବସି ମନୋନିବେଶ କରିଥିଲେ। ସିଂହଦ୍ୱାର ଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଖଣ୍ଡୁଆ ଓ ସୁନାବେଶର ଫଟୋଚିତ୍ର ଉପହାର ଦିଆଯାଇଥିଲା।ଦର୍ଶନ ସାରି ଫେରିବା ସମୟରେ ରାଷ୍ଟ୍ରପତି ବଡ଼ଦାଣ୍ଡରେ କିଛି ଦୂର ଚାଲିଚାଲି ଯାଇ ସାଧାରଣ ଲୋକଙ୍କ ସହ ହାତ ମିଶାଇ ସ୍ନେହ ବିନିମୟ କରିଥିଲେ। ଏହା ଲୋକମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଗର୍ବର ଭାବ ସୃଷ୍ଟି କରିଥିଲା। ତା’ପରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପହଞ୍ଚିଥିଲେ। ସେଠାରେ ପୂର୍ଣ୍ଣେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରି ନିଜ ପୁରୁଣା ସ୍ମୃତିକୁ ସ୍ମରଣ କରିଥିଲେ। ଶିକ୍ଷକତା କରିବା ସମୟରେ ସେ ଏହି ମନ୍ଦିରରେ ପ୍ରତିଦିନ ଝାଡ଼ୁ ମାରୁଥିବା ଘଟଣା ତାଙ୍କ ସାଧାରଣ ଜୀବନ ଓ ସେବାଭାବର ପ୍ରତୀକ ଭାବେ ଆଜି ମଧ୍ୟ ଲୋକଙ୍କୁ ପ୍ରେରଣା ଦେଉଛି।ମନ୍ଦିର ପରିସରରେ ଭିଡ଼ ଭିତରେ ଅପେକ୍ଷାରତ କୁନି କୁନି ପିଲାମାନଙ୍କୁ ସେ ସ୍ନେହରେ ଚକଲେଟ୍ ବାଣ୍ଟିଥିଲେ, ଯାହା ଦେଖି ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ।

ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରି ସେ ଓଡ଼ିଶାର ଉନ୍ନତି ପ୍ରତି ନିଜ ଅଟୁଟ ସମର୍ପଣକୁ ପୁନର୍ବାର ପ୍ରମାଣିତ କରିଥିଲେ।ଦିନର ଶେଷରେ ରାଷ୍ଟ୍ରପତି ନିଜ ପୈତୃକ ଘରକୁ ପହଞ୍ଚି ପରିବାର ସହ କିଛି ସମୟ କାଟିଥିଲେ, ଯାହା ତାଙ୍କ ଜୀବନର ସାଧାରଣତା ଓ ମୂଳ ସହ ଗଭୀର ସମ୍ପର୍କକୁ ପୁନଃ ସ୍ମରଣ କରାଇଦେଲା। ଜନ୍ମମାଟିରେ ଏହି ତୃତୀୟ ଦିନର ଗସ୍ତ ନିଶ୍ଚୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନରେ ଏକ ଅମର ସ୍ମୃତି ଭାବେ ରହିଯିବ।

Leave a Reply

Your email address will not be published. Required fields are marked *