ନ୍ୟୁଜ ଡେକ୍ସ : ରାଜ୍ୟର ସମସ୍ତ ଶିଶୁ ବାଟିକାରେ ପଢୁଥିବା ପିଲାମାନଙ୍କୁ ମାଗଣା ପୋଷାକ ଓ ଆନୁସାଙ୍ଗିକ ସାମଗ୍ରୀ ଯୋଗାଇବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଏକ ବଡ଼ ଏବଂ ଜରୁରୀ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଶିଶୁ ବାଟିକା ପିଲାଙ୍କୁ ଏହି ସାମଗ୍ରୀ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓସେପାର ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରା ଏଥିପାଇଁ ସମସ୍ତ ଡିଇଓଙ୍କୁ ଚିଠି ଲେଖି ସ୍ପଷ୍ଟ ଆଦେଶ ଜାରି କରିଛନ୍ତି।୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତ୍ୟେକ ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଓ ପରିଚୟ ପତ୍ର ଦିଆଯିବ। ପ୍ରଥମ ଶ୍ରେଣୀର ୟୁନିଫର୍ମ ସହ ସମାନ ରଙ୍ଗ, ଡିଜାଇନ୍ ଏବଂ ଗୁଣବତ୍ତା ରଖିବାକୁ ମଧ୍ୟ ଓସେପା ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ପିଲାମାନଙ୍କ ମଧ୍ୟରେ ସମତା ଓ ଏକତାର ଭାବ ଗଢ଼ିଉଠିବ। ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ରଖିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) କିମ୍ବା ପୁରୁଣା ଭରସାଯୋଗ୍ୟ ସଂସ୍ଥାଗୁଡ଼ିକ ମାଧ୍ୟମରେ ଏହି ସାମଗ୍ରୀ ସଂଗ୍ରହ କରାଯିବ। ଏଥିପାଇଁ କୌଣସି ନୂତନ ଟେଣ୍ଡର ଗ୍ରହଣ କରାଯିବ ନାହିଁ ବୋଲି ଓସେପା ସ୍ପଷ୍ଟ କରିଛି।
ଏହି କାର୍ଯ୍ୟକ୍ରମକୁ ‘ଅତ୍ୟନ୍ତ ଜରୁରୀ’ ବିଭାଗରେ ରଖାଯାଇଥିବାରୁ ଡିଇଓ ଓ ଡିପିସିମାନେ ସମଗ୍ର ବଣ୍ଟନ ପ୍ରକ୍ରିୟାର ସିଧାସଳଖ ତଦାରଖ କରିବେ।ଗତବର୍ଷ ଏପ୍ରିଲ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିଥିବା ବେଳେ ଶିଶୁ ବାଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି ନୀତି ଅନୁସାରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏ ଶିଶୁ ବାଟିକା ଖୋଲାଯାଇଛି, ଯେଉଁଠାରେ ୫ରୁ ୬ ବର୍ଷ ବୟସର ପିଲାମାନେ ପ୍ରାକ୍-ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ପ୍ରାକ୍-ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଭର୍ତ୍ତି ଓ ଉପସ୍ଥିତି ବଢ଼ିବା ସହ ସାର୍ବିକ ଶିକ୍ଷା ମାନ ଉନ୍ନତ ହେବ ବୋଲି ଆଶା କରାଯାଉଛି।

