Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ପ୍ରସିଦ୍ଧ ବ୍ୟାଘ୍ର ଅଭୟାରଣ୍ୟ ସାତକୋଶିଆ ଆଗାମୀ ଦିନରେ ବିଶ୍ୱସ୍ତରୀୟ ଇକୋ-ଟୁରିଜମ୍ ହବ୍ ଭାବେ ପରିଚିତ ହେବାକୁ ଯାଉଛି। ପର୍ଯ୍ୟଟନକୁ ନୂଆ ମାନକରେ ନେବା ଉଦ୍ଦେଶ୍ୟରେ ସରକାର ପକ୍ଷରୁ ପ୍ରାୟ ୯୯ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ୍ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପାସ୍ ହେବା ସହିତ ସାତକୋଶିଆର ଆକୃତି ଓ ପରିଚୟ ଦୁହେଁ ପରିବର୍ତ୍ତିତ ହେବାକୁ ଯାଉଛି।

ଏହି ମହାକାଂକ୍ଷୀ ପ୍ରକଳ୍ପ ଅଧୀନରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟାଘ୍ର ଅଭୟାରଣ୍ୟର ୬ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି। ପୁରୁଣାକୋଟ, ଜଗନ୍ନାଥପୁର ଓ ଟିକରପଡାକୁ ମୁଖ୍ୟ ପ୍ରବେଶ ଦ୍ୱାର ଭାବେ ଉନ୍ନତ କରାଯିବ। ସେହିପରି ବାଲିପୁଟ, କୁସଙ୍ଗ ଓ ଛାମୁଣ୍ଡିଆରେ ମଧ୍ୟ ନୂଆ ପ୍ରବେଶ ପଥ ନିର୍ମାଣ କରାଯିବ, ଯାହା ଫଳରେ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆକୁ ପହଞ୍ଚିବା ଆଉ ସହଜ ଓ ସୁବିଧାଜନକ ହେବ। ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହେବ ଅତ୍ୟାଧୁନିକ ପର୍ଯ୍ୟଟନ ସୁବିଧା। ଏଠାରେ ଫୁଡ୍ କୋର୍ଟ, ଫ୍ଲୋଟିଂ ଜେଟି, ବନ୍ ଫାୟାର୍‌ ସୁବିଧା, ୱାଚ୍ ଟାୱାର ଓ ରିଭର ଭିୟୁ ଡେକ୍ ତିଆରି ହେବ। ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକମାନେ ଫ୍ଲୋଟିଂ ଜେଟି ଓ ରିଭର ଭିୟୁ ଡେକ୍ ରୁ ଅଦ୍ଭୁତ ଅନୁଭୂତି ନେଇପାରିବେ।

ବନ୍ୟଜନ୍ତୁ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ସାତକୋଶିଆ ଏକ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳୀ। ଏହି ନୂଆ ପ୍ରକଳ୍ପ ଆସିଲେ ପର୍ଯ୍ୟଟନ ବୃଦ୍ଧି ସହିତ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ହୋମ୍‌ଷ୍ଟେ, ଗାଇଡ୍, ହସ୍ତଶିଳ୍ପ, ଓ ଖାଦ୍ୟ ବ୍ୟବସାୟ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ବଡ଼ ସମର୍ଥନ ମିଳିବ।ସରକାରଙ୍କ ଏହି ପଦକ୍ଷେପ ସହିତ ସାତକୋଶିଆ କେବଳ ଓଡ଼ିଶାର ନୁହେଁ, ସାରା ଦେଶ ଓ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଇକୋ-ଟୁରିଜମ୍ ଗନ୍ତବ୍ୟ ସ୍ଥଳୀ ଭାବେ ଉଭୟ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *